ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଖେଳିବେ କି ରୋହିତ, କୋହଲି ଓ ବୁମରା, ସାମ୍ନାକୁ ଆସିଲା ରିପୋର୍ଟ

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଜୁଲାଇ ମାସ ଶେଷ ଆଡ଼କୁ ଶ୍ରୀଲଙ୍କା ଗସ୍ତ କରିବ। ଜୁଲାଇ ୨୭ରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇ ସାରିଥିବାରୁ ଉଭୟ ଦିନିକିଆ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। କିନ୍ତୁ ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ବିରାଟ କୋହଲି, ରୋହିତ ଶର୍ମାଙ୍କ ସହିତ ଯଶପ୍ରୀତ ବୁମରାଙ୍କୁ ଶ୍ରୀଲଙ୍କା ସିରିଜରୁ ବିଶ୍ରାମ ଦିଆ ଯାଇପାରେ।

ସେପ୍ଟେମ୍ବର ମାସରେ ବାଂଲାଦେଶ ଭାରତ ଗସ୍ତ କରିବ। ଏଥିରେ ଦୁଇ ଦଳ ମଧ୍ୟରେ ୨ଟି ଟେଷ୍ଟ ଓ ୩ଟି ଟି-୨୦ ମୁକାବିଲା ଖେଳାଯିବ। ଏହା ପରେ ଘରୋଇ ମାଟିରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳିବ। ପୁଣି ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଏବଂ ୪ଟି ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳିବ। ନଭେମ୍ବର ୨୨ରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ରହିବ। ଏହି ସମୟରେ ଦୁଇ ଦଳ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ତେଣୁ ଏହି ବ୍ୟସ୍ତବହୁଳ କ୍ରୀଡ଼ାସୂଚୀକୁ ଦୃଷ୍ଟିରେ ରଖି ବିସିସିଆଇ ରୋହିତ, ବିରାଟ ଓ ବୁମରାଙ୍କୁ ଶ୍ରୀଲଙ୍କା ସିରିଜ୍‌କୁ ବିଶ୍ରାମ ଦେଇ ପାରେ।

ଏହା ପୂର୍ବରୁ ଭାରତୀୟ ଖେଳାଳି ଦୁଇ ମାସ ଧରି ଆଇପିଏଲ୍ ଖେଳିବା ପରେ ଟି-୨୦ ବିଶ୍ଵକପ୍ ଖେଳିଥିଲା। ଆଉ ଚମତ୍କାର ପ୍ରଦର୍ଶନ କରି ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ଵକପ୍ ଟ୍ରଫି ଜିତିଛି। ଏଥିସହ ଦଳର ୧୧ ବର୍ଷର ଧରି ଜାରି ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇଛି। ଲଗାତାର କ୍ରିକେଟ୍ ଖେଳ ଯୋଗୁଁ ଜିମ୍ବାଓ୍ଵେ ଗସ୍ତରେ ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.