ମହିଳାଙ୍କୁ ମାଡ ମାରି ଲହୁଲୁହାଣ କଲେ ଶାଶୁଘର ଲୋକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | March 27, 2025 IST

ଖଲ୍ଲିକୋଟ ୨୭/୩:ଯୌତୁକ ପାଇଁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ମାଡ ମାରିବା ପରେ ଘର ଭିତରେ କବାଟ ବନ୍ଦ କରିଦେଇଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ମହିଳା ହସ୍‌ପିଟାଲରେ ଭର୍ତ୍ତି । ଖଲ୍ଲିକୋଟ ଥାନା କନକା ଗାଁରୁ ଆସିଛି ଅଭାବନୀୟ ଖବର । ଗୁରୁତର ମହିଳା ମୁନା ପାହାନଙ୍କ ପତ୍ନୀ ମାନସୀ ପାହାନ । 

ଖବର ମୁତାବକ ଦୀର୍ଘ ୮ ବର୍ଷ ହେଲାଣି ମାନସୀଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି ଶାଶୁ ଘର ଲୋକ । ବୁଧବାର ଦିନ ୨ଟା ସମୟରେ ମାନସୀ ଘରେ ଥିବାବେଳେ କୌଣସି କଥାକୁ ନେଇ ଦିଅର ରାକେଶଙ୍କ ସହ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାକେଶଙ୍କ ସହ ଦେଢଶୁର ଟୁନା, ଶ୍ବଶୁର ଧନୁ ଓ ଶାଶୁ ସରସ୍ବତୀ ତାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ମାନସୀଙ୍କ ତଣ୍ଟି ଚିପି ମୋବାଇଲ ଫୋନ ଛଡାଇ ନେଇଯାଇଥିଲେ । ପିନ୍ଧିଥିବା ଶାଢି ଚିରିଦେବା ସହ ଛାତି ଓ ଶରୀରର ବିଭିନ୍ନ ସ୍ଥାନରେ ମାଡ ମାରିଥିଲେ । ସ୍ବାମୀ ମୁନା ପାଖରେ ଥିଲେ ମଧ୍ୟ କୌଣସି ପ୍ରତିବାଦ କରିନଥିଲେ । ଏହା ପରେ ଟାଣି ଟାଣି ନେଇ ଘର ଭିତରେ ତାଲା ପକାଇ ଦେଇଥିଲେ । 

ଘରର ଛାତ ଖୋଲାଥିବାରୁ ମାନସୀ ଉପରକୁ ଯାଇ ଲୋକଙ୍କୁ ଡାକ ପକାଇଥିଲେ । ଖବର ପାଇ ମାନସୀଙ୍କ ମାଆ ପହଞ୍ଚି ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ  ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ଖଲ୍ଲିକୋଟ ଆଇଆଇସି ରମେଶ କୁମାର ପ୍ରଧାନ ଓ ସେକେଣ୍ଡ ଅଫିସର ମାନସୀ ସାହୁ ଡାକ୍ତର ଖାନାରେ ଗୁରୁତର ମାନସୀଙ୍କ ବୟାନ ରେକର୍ଡ କରିଛନ୍ତି ।  ଭାଇ ସଞ୍ଜୟ ପରିଡାଙ୍କ ଏତଲାକୁ ଭିତ୍ତି କରି ଥାନା କେସ ନମ୍ବର -247 /26/3/2025 ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.