ଯବାନ କରୁଥିଲେ ଗଞ୍ଜେଇ ଚାଲାଣ, ୧୫କେଜି ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ବୌଦ୍ଧ ପୋଲିସ

Published By : Prameya-News7 Bureau | March 25, 2025 IST

ବୌଦ୍ଧ ୨୫/୩: ଗଞ୍ଜେଇ ଚାଲାଣ କରୁଥିଲେ ଯବାନ । ମାଡି ବସିଲା ପୋଲିସ । ବୌଦ୍ଧରୁ ଆସିଛି ଏପରି ଚକିତ କଲା ପରି ଖବର । ମନମୁଣ୍ଡା IRB ବାରାକରୁ ୧୫ କେଜି ଗଞ୍ଜେଇ ସହ  ୩ ଜଣ ପଞ୍ଚମ IRB ବାଟାଲିୟନର ଯବାନଙ୍କୁ ଗିରଫ କରାଯାଇଛି । ଗିରଫ ଯବାନଙ୍କ ମଧ୍ୟରେ ଜଣେ ହାବିଲଦାର ଓ ୨ ଜଣ କନେଷ୍ଟବଳ ଅଛନ୍ତି । ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ସୂଚନା ପାଇବା ପରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୁନମୁଣ୍ଡା ପୋଲିସ । 

ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅଂଚଳରେ ନକ୍ସଲ ଙ୍କ ଗତିବିଧି କୁ ନେଇ ନଜର ରଖିବା ଏବଂ ଗଞ୍ଜେଇ ଚାଲାଣ ଉପରେ ନଜର ରଖିବା ପାଇଁ ପଞ୍ଚମ IRB ବାଟାଲିୟନ ର ଏକ ପ୍ଲାଟୁନ କୁ ମନମୁଣ୍ଡା ଥାନା ପରିସର ରେ ଥିବା ବାରାକ ରେ ନିୟୋଜିତ କରାଯାଇଥିଲା । ତେବେ ଗତକାଲି ବାରାକରେ ବାଟାଲିୟନର ୩ ଜଣ ଯବାନ ଗଞ୍ଜେଇ ରଖିଥିବା ନେଇ ପୋଲିସ ସୂଚନା ପାଇବା ପରେ ସେଠାରେ ଚଢାଉ କରିଥିଲା । ୩ ଜଣ ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ ପରେ ଚକିତ ହୋଇଯାଇଥିଲା ପୋଲିସ । 


ଗିରଫ ହାବିଲଦାର କୁନାର ସିଂହଙ୍କ ନିକଟରୁ ୫ କେଜି, କନେଷ୍ଟବଳ ତ୍ରିଲୋଚନ ରଣାଙ୍କ ନିକଟରୁ ୭ କେଜି ଓ କନେଷ୍ଟବଳ ନିଲମ୍ ବାର୍ଲାଙ୍କ ନିକଟରୁ ୩ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ତେବେ ଏମାନେ କେଉଁ କାରଣରୁ ଗଞ୍ଜେଇ ଆଣି ନିଜ ପାଖରେ ରଖିଥିଲେ । ଚାଲାଣ କରୁଥିଲେ ନା ଏମାନେ ବେପାର ରେ ସଂପୃକ୍ତ ଥିଲେ ସେ ନେଇ ତଦନ୍ତ ଚାଲିଛି । ଗିରଫ ଯବାନଙ୍କ ସହ ଅନ୍ୟ କୌଣସି ପୋଲିସ କର୍ମଚାରୀଙ୍କ ସଂପୃକ୍ତି ଅଛି ନା ନାହିଁ ସେ ଦିଗରେ ତଦନ୍ତ ଚାଲିଥିବା କହିଛନ୍ତି ବୌଦ୍ଧ ଏସ୍‌ପି ରାହୁଲ ଗୋଏଲ ।

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.