ଆନନ୍ଦପୁର ୨୩/୩: ବାରମ୍ବାର ଅଭିଯୋଗ ପରେ ବି ଶୁଣୁନଥିଲା ପ୍ରଶାସନ । ଦୌଡି ଦୋଡି ନିରାଶ ହେବାକୁ ପଡୁଥିଲା । ହେଲେ ପ୍ରମେୟ ନ୍ୟୁଜ 7 ଡିଜିଟାଲରେ ଖବର ପ୍ରସାରଣ ପରେ ନିଦରୁ ଉଠିଲା ପ୍ରଶାସନ । ଡିଜିଟାଲ ଡିଜାବଲିଟି ସାର୍ଟିଫିକେଟ ପାଇବେ ଦିବ୍ୟାଙ୍ଗ । ଏବେ ନିୟମିତ ମିଳିବ ଅଟକି ରହିଥିବା ଟଙ୍କା ।
ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀ ଗାଁର ଦିବ୍ୟାଙ୍ଗ ମହିଳା ରମ୍ଭା ଜେନା । ୭ ମାସ ଧରି ତାଙ୍କୁ ଭତ୍ତା ମିଳୁନଥିଲା । କାରଣ ଥିଲା ତାଙ୍କ ପାଖରେ ଅନଲାଇନ ଦିବ୍ୟାଙ୍ଗ ପ୍ରମାଣପତ୍ର ନଥିଲା । ଭତ୍ତା ଟଙ୍କା ମିଳୁନଥିବାରୁ ଚଳିବାକୁ ବେଶ ହଇରାଣ ହେଉଥିଲେ ରମ୍ଭା । ଅସହାୟ ରମ୍ଭାଙ୍କ ସମସ୍ୟା ସଂପର୍କରେ ଆମେ ଖବର ପ୍ରସାରଣ କରିଥିଲୁ । ଗତ ୧୭ ତାରିଖରେ ଖବର ପ୍ରସାରଣ ହୋଇଥିଲା । ତା ପରଦିନ ରମ୍ଭାଙ୍କ ଡିଜିଟାଲ ସାର୍ଟିଫିକେଟ ଅନଲାଇନରେ ଅପଲୋଡ କରିଥିଲା ପ୍ରଶାସନ । ଆସନ୍ତା ମାସ ଠାରୁ ରମ୍ଭାଙ୍କୁ ମିଳିବ ନିୟମିତ ଭତ୍ତା । ଏଥିସହ ଗତ ୭ ମାସର ଏରିଅର ମଧ୍ୟ ମିଳିବାକୁ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।