ଭଦ୍ରକ ୨୩/୩: ଶିକ୍ଷିତ ବେକାରୀ ସମସ୍ୟା ଦୂର କରିବାକୁ ପ୍ରଶାସନର ପ୍ରୟାସ । ଭଦ୍ରକରେ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା । ଏହି ମେଳାକୁ ଉଦ୍ଘାଟନ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଶାୟୀ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଛନ୍ତି । ସହରର ଗୋପାଳ ଜୀଉ ପଡିଆରେ ଆୟୋଜିତ ହୋଇଥିବା ଏହି ନିଯୁକ୍ତି ମେଳାରେ ଯୋଗ ଦେଇଛନ୍ତି ଅନେକ ରାଷ୍ଟ୍ରାୟତ୍ତ କଂପାନୀ ।
ଜିଲ୍ଳା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲା ତମାମ ସଚେତନତା ରଥ ବୁଲିଛି । ନିଯୁକ୍ତି ମେଳା କୁ ଆସିଥିବା କମ୍ପାନୀର ପ୍ରତିନିଧିଙ୍କ ପାଖରେ ଆବେଦନ କରିଛନ୍ତି ଆଶାୟୀ । ପରବର୍ତ୍ତୀ ପର୍ଯ୍ୟାୟରେ ଆଶାୟୀ ଆବେଦନକାରୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ନିଯୁକ୍ତି ଦିଆଯିବ । ଅନେକ କମ୍ପାନୀ ମଧ୍ୟ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମାଗଣା ବୈଷୟିକ ତାଲିମ ପ୍ରଦାନ କରିବେ । ତାଲିମ ପରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ । ତେବେ ଅନେକ କମ୍ପାନୀ ଦ୍ଵାରା ଆଶାୟୀଙ୍କୁ ମଧ୍ୟ ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।