ପୁରୀ ୨୯/୩: ପୁଣି ପାରିବାରିକ କଳି ଉଜାଡି ଦେଇଛି ସଂସାର । ସ୍ତ୍ରୀର ଜୀବନ ନେଇଯାଇଛି ସ୍ବାମୀ । ଓଢଣିରେ ସ୍ତ୍ରୀର ତଣ୍ଟିଚିପି ସବୁଦିନ ପାଇଁ ତାକୁ ଶୁଆଇ ଦେଇଛି । ଯେଉଁ ହାତରେ ସ୍ତ୍ରୀକୁ ସିନ୍ଦୁର ଓ ମଙ୍ଗଳସୂତ୍ର ଦେଇ ସାତ ଜନମର ସାଥୀ କରିଥିଲା ସେହି ହାତରେ ସ୍ତ୍ରୀକୁ ହତ୍ୟା କରିଛି ନୃଶଂସ ସ୍ବାମୀ । ପୁରୀ ଜିଲ୍ଲା ସିଦ୍ଧ ମହାବୀର ଚମାର ସାହିରୁ ଆସିଛି ଅଭାବନୀୟ ଖବର । ମୃତ ମହିଳା ବାଦଲ ବେହେରାଙ୍କ ପତ୍ନୀ ସୌଦାମିନୀ ବେହେରା ।
ସୌଦାମିନୀ ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବରେ କାମ କରୁଥିଲେ । ବାଦଲ ଜଗନ୍ନାଥ ମେଡିକାଲ କଲେଜରେ ସିକ୍ୟୁରିଟି ଭାବରେ କାମ କରୁଥିଲେ । ପାରିବାରିକ କଳିରୁ ଏପରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ସୌଦାମିନୀ ଓ ବାଦଲଙ୍କ ମଧ୍ୟରେ ବୈବାହିକ ସଂପର୍କ ଭଲ ନଥିଲା । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଭିତରେ ଭିତରେ କୁହୁଳୁଥିବା ଝଗଡା ଶନିବାର ଉଗ୍ରରୂପ ନେଇଥିଲା ।। ରାଗରେ ଭୁଲ ଠିକ ବିଚାର କରିପାରିନଥିଲେ ବାଦଲ । ଓଢଣୀ ସାହାଯ୍ୟରେ ସୌଦାମିନୀଙ୍କ ତଣ୍ଟିଚିପି ହତ୍ୟା କରିବା ପରେ ତାଳବଣିଆ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ ।ମୃତଦେହ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନ୍ଭିନ୍ ଚଲାଇଛି ପୋଲିସ ।