ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ରୋକ୍ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟ

Published By : Prameya-News7 Bureau | August 11, 2023 IST

ଚଣ୍ଡିଗଡ଼: ଭାରତୀୟ କୁସ୍ତି ମହାସଂଘ(WFI) ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ରୋକ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟ। ଶନିବାର(ଅଗଷ୍ଟ ୧୨) ନର୍ବାଚନ ପାଇଁ ଭୋଟିଂ ହେବାର ଥିଲା। ହେଲେ ଆଜି(୧୧ ଅଗଷ୍ଟ) ହାଇକୋର୍ଟ ନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି। ଅଧ୍ୟକ୍ଷ ପଦ ପାଇଁ ବର୍ତ୍ତମାନ ଅନୀତା ଶ୍ୟୋରଣ ଓ ସଞ୍ଜୟ ସିଂହ ନିର୍ବାଚନୀ ମୈଦାନ୍‌ରେ ରହିଛନ୍ତି।

WFI ଅଧ୍ୟକ୍ଷ ପଦ ନିର୍ବାଚନ ବିବାଦରେ ରହିଛି। କାରଣ ପୂର୍ବତନ ଅଧ୍ୟଙ୍କ ବିରୋଧରେ ସଂଗୀନ ଅଭିଯୋଗ ଲଗାଇଥିଲେ ରେସ୍‌ଲରମାନେ। ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ଅନେକ ରେସ୍‌ଲର ପୂର୍ବତନ WFI ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗ ଆଣିଥିଲେ।

କେବଳ ସେତିକି ନୁହେଁ ବ୍ରିଜ ଭୂଷଣଙ୍କୁ ପଦରୁ ହଟାଇବାକୁ ମଧ୍ୟ ସେମାନେ ଦାବି କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ନାବାଳିକ କୁସ୍ତି ଯୋଦ୍ଧା ନିଜ ଅଭିଯୋଗରୁ ଓହରି ଯାଇଥିଲେ। ଏହାପରେ କେନ୍ଦ୍ର ସରକାର କଳବଳ ଲଗାଇ ବ୍ରିଜ ଭୂଷଣଙ୍କ ସୁରକ୍ଷା ପାଇଁ ଆନ୍ଦୋଳନକୁ ଦମନ କରିଥିବା ଅଭିଯୋଗ ହୋଇଥିଲା। ଶେଷରେ ଜୁଲାଇ ୨୦ ତାରିଖରେ ବ୍ରିଜ ଭୂଷଣଙ୍କୁ ଦିଲ୍ଲୀ କୋର୍ଟରୁ ଜାମିନ ମିଳିଥିଲା।

ତେବେ ଏଥର ବ୍ରିଜ ଭୂଷଣ ଶରଣ ସିଂହ ନିର୍ବାଚନ ଲଢ଼ିପାରିବେ ନାହିଁ। କାରଣ ସେ ନିର୍ବାଚନ ଲଢ଼ିବାର ସର୍ବାଧିକ ସମୟ ସୀମା ଅତିକ୍ରମ କରିସାରିଛନ୍ତି। ସେ WFI ଅଧ୍ୟକ୍ଷ ଭାବେ ୧୨ ବର୍ଷ ରହିସାରିଛନ୍ତି। ତେଣୁ ସେ ଆଉ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ଜାତିୟ ଖେଳ କୋଡ଼୍‌ରେ ନିୟମ ରହିଛି।

ପଢ଼ନ୍ତୁ-ପ୍ରେମ କବିତା ପଢ଼ି ମୋଦୀଙ୍କୁ ତାରିଫ କଲେ, ପୁଣି ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କଲେ ବ୍ରିଜ ଭୂଷଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.