ଯୁବକଙ୍କୁ ହତ୍ୟା ଅଭିଯୋଗ ; ବାଲେଶ୍ୱରରେ ମଧ୍ୟାହ୍ନଭୋଜନ, ସନ୍ଧ୍ୟାରେ ମୟୂରଭଞ୍ଜରେ ମୃତ୍ୟୁ

Published By : Prameya-News7 Bureau | May 31, 2024 IST

ନୀଳଗିରି ୩୧।୫: ବାଲେଶ୍ବରରୁ ମୟୂରଭଞ୍ଜ । ଅଢେଇଟା ବେଳେ ବାଲେଶ୍ୱରରେ ମଧ୍ୟାହ୍ନଭୋଜନ, ସନ୍ଧ୍ୟା ୫ଟା ବେଳକୁ ମୟୂରଭଞ୍ଜରେ ମୃତ୍ୟୁ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କଲେ ପରିବାର । 

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା କାଂଶ ପଞ୍ଚାୟତ ନିମପାଳ ଗ୍ରାମର ଶଶଧର ଆଚାର୍ଯ୍ୟଙ୍କ ପୁଅ ସ୍ନେହାଶିଷ ଆଚାର୍ଯ୍ୟ ଗତ ୨୮ ତାରିଖ ସନ୍ଧ୍ୟାରେ ଶ୍ବଶୁରଘର ବାଲେଶ୍ୱର ଯାଇ ରାତ୍ରୀଯାପନ କରିଥିଲେ । ପରଦିନ ମଧ୍ୟାହ୍ନ ଭୋଜନ କରି ଅପରାହ୍ନ ପ୍ରାୟ ଅଢେଇଟା ବେଳେ ଘରକୁ ଫେରିଥିବା ଶ୍ବଶୁରଘର ତରଫରୁ କୁହାଯାଇଥିଲା । ମାତ୍ର ସନ୍ଧ୍ୟା ୫ଟାରେ ସ୍ନେହାଶିଷଙ୍କ ବଡ଼ ଭାଇ ଶୁଭାଶିଷଙ୍କୁ ନିକଟସ୍ଥ ପୁରୁଣାଗାଁର ଅବିନାଶ ନାମକ ଜଣେ ବନ୍ଧୁ ଖବର ଦେଇଥିଲେ । ସାନ ଭାଇ ମୟୂରଭଞ୍ଜ ବଡ଼ସାହି ଥାନା ସିଣ୍ଟିଆ ବଳଭଦ୍ରପୁର ରାସ୍ତାର ଶିବମନ୍ଦିର ନିକଟସ୍ଥ ଏକ ଘରେ ମୃତ୍ୟୁ ହୋଇଛି । ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରେ ଜଣେ ମହିଳାଙ୍କ ସମେତ ଦୁଇ ଶିଶୁପୁତ୍ର ଭଡାରେ ରହୁଥିବା ଜାଣିବାକୁ ପାଇଥିବା ବେଳେ ସ୍ନେହାଶିଷଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏ ନେଇ ବଡ଼ଭାଇ ଶୁଭାଶିଷ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ମହିଳାଙ୍କ ସହିତ ଯୁବକଙ୍କ ସମ୍ପର୍କ କ’ଣ ? ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦିଆଯାଇ ନାହିଁ ତ ? ଏଭଳି ବିଭିନ୍ନ ପ୍ରଶ୍ନବାଚୀ ମନକୁ ଆସୁଥିବା ବେଳେ ପୋଲିସ ଘଟଣାର ସଠିକ୍ ଅନୁସନ୍ଧାନ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଜଣାପଡିଛି । ତେବେ ଯୁବକଙ୍କ ମୃତଦେହକୁ ଗୁରୁବାର ବ୍ୟବଚ୍ଛେଦ ପରେ ଗାଁକୁ ଅଣାଯାଇ ଶବସତ୍କାର କରାଯାଇଥିବା ସୂଚନା ମିଳିଛି ।

You Can Read :

ନୀଳଗିରିରେ ପଶିଲେ ୪୬ ଟିକିଆ ଝାଡ଼ଖଣ୍ଡୀ ହାତୀ ପଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.