ଜେଡ-ମୋଡ ସୁଡଙ୍ଗ; ଘଣ୍ଟାଘଣ୍ଟାର ଦୂରତା ମାତ୍ର ୧୫ ମିନିଟ୍‌ରେ, କୌଣସି ବି ସମୟରେ ଯାଇ ହେବ ସୋନମାର୍ଗ

Published By : Prameya-News7 Bureau | January 11, 2025 IST

ନୂଆଦିଲ୍ଲୀ ୧୧।୦୧: ଏଣିକି ଲଦାଖବାସୀ ହେବେ ଉପକୃତ । ଆଉ ଯାତାୟତରେ ହେବନି ଅସୁବିଧା । ଲଦାଖକୁ ସବୁ ରୁତୁରେ ଯିବା ଆସିବା କରିବେ ଲୋକେ । ଖାସ୍‌ କରି ଉପକୃତ ହେବେ ଭାରତୀୟ ସେନା । ଜମ୍ମୁ-କାଶ୍ମୀରରେ ଜେଡ-ମୋଡ ସୁଡଙ୍ଗର ହେବ ଉଦଘାଟନ । ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସୁଡଙ୍ଗ ସୋନମାର୍ଗ ଘାଟିକୁ ସବୁ ରୁତୁରେ ଯୋଡିବ । 

ବର୍ତ୍ତମାନ ଗଗନଗିରି-ସୋନମାର୍ଗ ରାସ୍ତାରେ ତୁଷାରପାତ ଏବଂ ହିମସ୍ଖଳନ ଯୋଗୁଁ ଅନେକ ମାସ ଧରି ରାସ୍ତା ବନ୍ଦ ରହୁଛି । ଏହାର ବିକଳ୍ପ ସାଜିବ Z-ମୋଡ ସୁଡ଼ଙ୍ଗ । ସୁଡଙ୍ଗଟି ଜୋଜିଲା ସୁଡଙ୍ଗ ପରିଯୋଜନାର ଅଂଶ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଲଦାଖକୁ ସବୁ ରୁତୁରେ ଯୋଡିବା । ସୁଡ଼ଙ୍ଗଟି ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଅବସ୍ଥିତ । ଏହା ଶ୍ରୀନଗର-ଲେହ ରାଜପଥରେ ଅବସ୍ଥିତ । ଯାହା ଭୂ-ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।

୧୩ ଜାନୁଆରୀରେ ଶ୍ରୀନଗର-ସୋନମର୍ଗ ରାସ୍ତାରେ ଏହି ସୁଡଙ୍ଗର ଉଦଘାଟନ କରିବେ ପ୍ରଧାମମନ୍ତ୍ରୀ । ଜେଡ୍-ମୋର୍ଡ ସୁଡ଼ଙ୍ଗ ଗଗନଗିରିରୁ ସୋନମାର୍ଗ ପର୍ଯ୍ୟନ୍ତ ରହିଛି । ଏହା ୬.୫ କିଲୋମିଟର ଲମ୍ବା । ସୁଡଙ୍ଗଟି ଦୁଇ ଲେନ୍ ବିଶିଷ୍ଠ । ସୁଡ଼ଙ୍ଗଟି ରାସ୍ତାର Z-ଆକୃତିର ଅଂଶ ଅନୁସାରେ ନାମିତ ହୋଇଛି । ଯାହାକୁ ସୁଡ଼ଙ୍ଗ ବାଇପାସ୍ କରିଥାଏ। ଏହି ସୁଡ଼ଙ୍ଗ ଖୋଲିବା ଦ୍ୱାରା ସୋନମାର୍ଗ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ବର୍ଷସାରା ହିଲ ଷ୍ଟେସନ ଅଞ୍ଚଳ ପରିଦର୍ଶନ କରିବାର ସୁଯୋଗ ମିଳିବ । 

ସୁଡ଼ଙ୍ଗ ଖୋଲିବା ଦ୍ୱାରା ଯାତ୍ରାର ଗତି ମଧ୍ୟ ବୃଦ୍ଧି ପାଇବ । ପୂର୍ବରୁ ଲଦାଖକୁ ଯିବାକୁ ହେଲେ ପାହାଡିଆ ଅଞ୍ଚଳ ଦେଇ ବୁଲି ବୁଲି ଯିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା । କିନ୍ତୁ ଏବେ ୬.୫ କିଲୋମିଟର ସୁଡ଼ଙ୍ଗ ପାର ହେବାକୁ ଲାଗିବ ମାତ୍ର ୧୫ ମିନିଟ୍ର ସମୟ । ଏହି ସୁଡ଼ଙ୍ଗ ଖୋଲିବା ଦ୍ୱାରା ସୋନମାର୍ଗର ସଂଯୋଗୀକରଣ କେବଳ ସୁଦୃଢ଼ ହେବ ତା ନୁହେଁ ବରଂ ଏହି ପ୍ରକଳ୍ପ ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । 

ଏହି ସୁଡ଼ଙ୍ଗ, ଜୋଜିଲା ସୁଡ଼ଙ୍ଗ ସହିତ ମିଶି ଅମରନାଥ ଗୁମ୍ଫା, କାର୍ଗିଲ ଏବଂ ଲଦାଖ ଅଞ୍ଚଳକୁ ବର୍ଷସାରା ଯାତାୟତ ଯୋଗାଇବ । ଏହାବ୍ୟତୀତ ସାମରିକ ଯୋଗାଣକୁ ମଧ୍ୟ ସହଜ କରିବ ସୁଡଙ୍ଗ । ଏହି ସୁଡ଼ଙ୍ଗ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଜେଡ୍-ମୋଡ ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ଏହା ୩୧ଟି ସୁଡ଼ଙ୍ଗ ରାସ୍ତା ମଧ୍ୟରୁ ଗୋଟିଏ । 

ନିର୍ମାଣ ସମୟରେ ଅନେକ ଚ୍ୟାଲେଞ୍ଜ ଆସିଥିଲା, ଯେଉଁଥିରେ ୨୦ ଅକ୍ଟୋବର ୨୦୨୪ରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣ ମଧ୍ୟ ସାମିଲ ରହିଥିଲେ । ଏହି ଆକ୍ରମଣରେ ୬ ଜଣ ଶ୍ରମିକଙ୍କ ସମେତ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ଆକ୍ରମଣରେ ଜଣେ ସ୍ଥାନୀୟ ଡାକ୍ତରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଏତେସବୁ ଚ୍ୟାଲେଞ୍ଜ ସତ୍ତ୍ୱେ, ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା ଏବଂ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.