ନୂଆଦିଲ୍ଲୀ: ଭାରତରେ ବଢ଼ିଛି ଚାଇନିଜ୍ ଇଲେକ୍ଟ୍ରିକ୍ କାର BYDର ବିକ୍ରି। ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସୁଛି BYD ଇଲେକ୍ଟ୍ରିକ୍ କାର। ଏମିତିରେ କମ୍ପାନି ମଧ୍ୟ ଭାରତରେ ଏହାର ବ୍ୟବସାୟକୁ ବଢ଼ାଇବାକୁ ଅଣ୍ଟା ଭିଡ଼ିଛି। ଏହି କ୍ରମରେ କମ୍ପାନି ଭାରତୀୟ ବଜାରରେ ୨୫-୪୫ ଲକ୍ଷ ଟଙ୍କା ରେଞ୍ଜ୍ର କାର ଲଞ୍ଚ କରିବାକୁ ଯୋଜନା କରୁଛି। ଏହା ସହ କମ୍ପାନି, ଗ୍ରାହକଙ୍କ ପସନ୍ଦ ଏବଂ ଚାହିଦାକୁ ଦେଖି ସୁଲଭ ମୂଲ୍ୟରେ କାର ଆଣିବାକୁ ନେଇ ମଧ୍ୟ ଯୋଜନା କରୁଥିବା କହିଛନ୍ତି, BYDର ଭାରତ ମୁଖ୍ୟ ରାଜୀବ ଚୌହାନ। ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ ସେ କହିଥିଲେ ଯେ, କମ୍ପାନି ଭାରତରେ ଏହାର ନୂଆ ଏସୟୁଭିକୁ ୨୦-୨୫ ଲକ୍ଷ ଏବଂ ୪୦-୪୫ ଲକ୍ଷ ସେଗମେଣ୍ଟରେ ଲଞ୍ଚ କରିବାକୁ ଯୋଜନା କରୁଛି।
ଆହୁରି ମଧ୍ୟ, ଏକ ଚାଇନିଜ ବ୍ରାଣ୍ଡ୍ ଭାବରେ ଭାରତରେ ନିବେଶ କରିବାକୁ ନେଇ ରହିଥିବା ଚାଲେଞ୍ଜ ଉପରେ ସେ କହିଛନ୍ତି, ‘‘ପ୍ରକୃତରେ ଆମେ ଭଲ ପ୍ରଦର୍ଶନ କରୁଛୁ। ଆମେ ଧୀରେ ଧୀରେ ଆଗକୁ ବଢ଼ୁଛୁ। ଆମେ ଗ୍ରାହକଙ୍କ ଉତ୍ତମ ଅନୁଭବ ଦେବା ଉପରେ କାମ କରୁଛୁ। ଗ୍ରାହକ ପ୍ରଥମେ ଆମ ଟେକ୍ନୋଲୋଜିକୁ ଅନୁଭବ କରନ୍ତୁ। ଆମେ ଏବେବି ଗ୍ରାହକଙ୍କ ଭରଷା ଜିତିବା ଦିଗରେ କାମ କରୁଛୁ।’’
ସୂଚନାଥାଉକି, ନୂଆଦିଲ୍ଲୀରେ ଚାଲିଥିବା ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ BYD ଏହାର ପ୍ରିମିୟମ ଏସୟୁଭି ସିଲିୟନ ୭କୁ ଭାରତୀୟ ବଜାର ପାଇଁ ଅନାବରଣ କରିଛି। ଅବଶ୍ୟ କମ୍ପାନି କାରର ମୂଲ୍ୟ ଫେବ୍ରୁଆରୀ ୧୭ରେ ଅନାବରଣ କରିବ। ଅନୁମାନ କରାଯାଉଛି ଏହି କାର୍ ୪୦-୪୫ ଲକ୍ଷ ମଧ୍ୟରେ ରହିବ।ସିଲିୟନ ୭ର ଡେଲିଭରି ମାର୍ଚ୍ଚ ୭ରୁ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, କମ୍ପାନି ବର୍ତ୍ତମାନ ଚାଇନାରୁ କାର୍ ଆମଦାନୀ କରୁଛି। ୨୦୨୪ରେ ୩୫୦୦ କାର୍ ବିକ୍ରି କରିଛି । ଯାହା ୨୦୨୩ରେ ୨୫୦୦ ୟୁନିଟ୍ ଥିଲା। ଏମିତିରେ ୨୦୨୫ରେ କମ୍ପାନି କାର ବିକ୍ରି ଦୁଇଗୁଣା ହେବା ନେଇ ଆଶାବାଦୀ ରହିଛି।