ନୂଆଦିଲ୍ଲୀ: ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ(ସି ଫୁଡ୍ ଏକ୍ସପୋର୍ଟ) ୨୦୨୪-୨୫ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୬୦ ହଜାର କୋଟି ଟଙ୍କା ପାର କରିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରକାର କହିଛନ୍ତି ଯେ ମୋଟ ରପ୍ତାନିରେ ବରଫଦିଆ ଚିଙ୍ଗୁଡ଼ିର ଭାଗ ଦୁଇ ତୃତୀୟାଂଶରୁ ଅଧିକ। ଆର୍ଥିକ ବର୍ଷ ୨୦୨୪ରେ ସମୁଦାୟ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୧.୭୮ ନିୟୁତ ମେଟ୍ରିକ୍ ଟନ୍ ରହିଥିଲା। ଯାହାର ମୂଲ୍ୟ ୬୦,୫୨୩.୮୯ କୋଟି ଟଙ୍କା ଥିଲା।
ଫେବୃଆରୀ ୧ ତାରିଖରୁ ବଜେଟ୍ ବସିବାକୁ ଥିବା ବେଳେ ତା’ ପୂର୍ବରୁ ଏହି ସୂଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନିକୁ ଆହୁରି ମଜବୁତ କରିବା ପାଇଁ ସରକାର ଚିଙ୍ଗୁଡ଼ି ଏବଂ ମାଛ ଫିଡ୍ ଉତ୍ପାଦନ ପାଇଁ ପ୍ରମୁଖ ଇନପୁଟ ଉପରେ ବେସ୍ କଷ୍ଟମ୍ସ ଡ୍ୟୁଟି କୁ ୫% କୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି।
ସରକାରଙ୍କ ଅନୁଯାୟୀ, ଚିଙ୍ଗୁଡ଼ି ଏବଂ ମାଛ ଫିଡ୍ ଉତ୍ପାଦନରେ ବ୍ୟବହୃତ ଇନପୁଟ ଉପରେ ଅତିରିକ୍ତ ରିହାତି ଲାଗୁ ହେବ। ସରକାର କହିଛନ୍ତି ଯେ ସୀମା ଶୁଳ୍କ ହ୍ରାସ ହେଲେ ଏହି କ୍ଷେତ୍ରର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ଫଳରେ ଉତ୍ପାଦନ ବଢ଼ିଲେ ଏହା ଅର୍ଥନୀତିକୁ ବଳ ଦେବ।
ଏଥିରେ କେନ୍ଦ୍ରୀୟ ବୋର୍ଡ ଅଫ୍ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଜଳଚର ଶିଳ୍ପ(ଏକ୍ୱାକଲଚର ଇଣ୍ଡଷ୍ଟ୍ରୀ)କୁ ସମର୍ଥନ କରିବା ପାଇଁ ଅନେକ ଟିକସ ସଂସ୍କାର କାର୍ଯ୍ୟକାରୀ କରିଛି। ଏଥିରେ କ୍ରିଲ୍ ମିଲ, ଫିସ୍ ଲିପିଡ୍ ଅଏଲ୍, କ୍ରୁଡ ମାଛ ତେଲ, ଆଲଗଲ୍ ପ୍ରାଇମ୍ (ମଇଦା) ଏବଂ ଆଲଗଲ୍ ତେଲ ଉପରେ ଟିକସ ହ୍ରାସ ଏବଂ ଅତ୍ୟାବଶ୍ୟକ ଫିଡ୍ ଉପାଦାନ ପାଇଁ BCD କୁ ୫% କୁ ହ୍ରାସ ଆଦି ନିଷ୍ପତ୍ତି ହୋଇଛି।
ଭାରତୀୟ ସାମୁଦ୍ରିକ ଖାଦ୍ୟର ବଡ଼ ଗ୍ରାହକ ଆମେରିକା
ଆର୍ଥିକ ବର୍ଷ ୨୦୨୪ରେ ଆମେରିକା ଭାରତୀୟ ସାମୁଦ୍ରିକ ଖାଦ୍ୟର ସବୁଠାରୁ ବଡ ଗ୍ରାହକ ଥିଲା। ଦେଶର ସମୁଦାୟ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଏହାର ଅଂଶ ୩୪.୫୩ ବା ୨.୫୫ ବିଲିୟନ ଡଲାର ରହିଥିଲା। ଏହି ଅବଧିରେ, ଆମେରିକାକୁ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ବରଫଦିଆ ଚିଙ୍ଗୁଡ଼ିର ଅଂଶ ୯୧.୯% ଥିଲା।
ଆମେରିକା ପରେ ଚୀନ ଭାରତ ଠାରୁ ଅଧିକ ସାମଦ୍ରିକ ଖାଦ୍ୟ ଆମଦାନୀ କରୁଥିଲା। ଚୀନକୁ ୧.୩୮ ବିଲିୟନ ଡଲାର ମୂଲ୍ୟର ୪,୫୧,୦୦୦ ମେଟ୍ରିକ୍ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରାଯାଇଛି। ଏହା ପରେ ଜାପାନ ତୃତୀୟ, ତା ପରେ ଭିଏତନାମ, ଥାଇଲ୍ୟାଣ୍ଡ, କାନାଡା, ସ୍ପେନ୍, ବେଲଜିୟମ, ୟୁଏଇ ଏବଂ ଇଟାଲିକୁ ମଧ୍ୟ ଭାରତ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରିଛି।