ଭାରତରେ ଘରୋଇ କ୍ଷେତ୍ରରେ ନିବେଶ ପାଇଁ ରହିଛି ଅନୁକୂଳ ପରିବେଶ, ଆଗକୁ ବଢ଼ିବ ନିଯୁକ୍ତ ସୁଯୋଗ: ସିଆଇଆଇ ସର୍ଭେ

Published By : Prameya-News7 Bureau | January 19, 2025 IST

ନୂଆଦିଲ୍ଲୀ: ଭାରତର ବର୍ତ୍ତମାନ ଅର୍ଥନୈତିକ ପରିବେଶ ଯେଉଁଭଳି ରହିଛି, ତାହା ଘରୋଇ ନିବେଶ ପାଇଁ ଖୁବ୍‌ ଅନୁକୂଳ। କାରଣ ଗୋଟିଏ ପଟେ ସମଗ୍ର ବିଶ୍ବରେ ଆର୍ଥିକ ସ୍ଥିତି ଚାଲେଞ୍ଜପୂର୍ଣ୍ଣ ରହିଥିବାବେଳେ ଭାରତ କିନ୍ତୁ ଏକ ‘ଉତ୍ତମ ବଜାର’ ଭାବେ ଉଭା ହୋଇଛି। ଭାରତୀୟ ଉଦ୍ୟୋଗ ପରିସଂଘ (CII)ର ଏକ ସର୍ଭେରେ ଏହା କୁହାଯାଇଛି। ଅବଶ୍ୟ ସର୍ଭେ ଏବେବି ଜାରି ରହିଛି। 

ତେବେ ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରାୟ ୯୭ ପ୍ରତିଶତ କମ୍ପାନି ୨୦୨୪-୨୫ ଏବଂ ୨୦୨୫-୨୬ରେ ସେମାନଙ୍କ ନିବେଶ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଏହାଦ୍ବାରା ରୋଜଗାର ବଢ଼ିବ। ନିଯୁକ୍ତି ସୃଷ୍ଟି ହେବ। ସର୍ଭେରେ ୭୯ ପ୍ରତିଶତ କମ୍ପାନି କହିଛନ୍ତି, ସେମାନେ ଗତ ତିନି ବର୍ଷରେ ଅଧିକ ଲୋକଙ୍କ ଯୋଡ଼ିଛନ୍ତି। ଗତ ୩୦ ଦିନରେ ଆୟୋଜିତ ସିଆଇଆଇ ସର୍ଭେରୁ ଜଣା ପଡ଼ିଛି ଯେ, ୭୫ ପ୍ରତିଶତ କମ୍ପାନିଙ୍କ ଅନୁଯାୟୀ, ବର୍ତ୍ତମାନ ଆର୍ଥିକ ମାହୋଲ ଘରୋଇ ନିବେଶ ପାଇଁ ଅନୁକୂଳ। ଏହି ସର୍ଭେ ଫେବ୍ରୁଆରୀର ପ୍ରଥମ ସପ୍ତାହରେ ସରିବ। ୫୦୦ କମ୍ପାନିଙ୍କୁ ନେଇ ସର୍ଭେ କରାଯାଉଛି। 

ସର୍ଭେରେ ସାମିଲ ୭୦% କମ୍ପାନି କରିବେ ନିବେଶ

ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, ସର୍ଭେରେ ସାମିଲ ୭୦ ପ୍ରତିଶତ କମ୍ପାନି କହିଛନ୍ତି, ସେମାନେ ଆର୍ଥିକ ବର୍ଷ ୨୦୨୫-୨୬ରେ ନିବେଶ କରିବେ ଆଗାମୀ କିଛି ତ୍ରୈମାସିକରେ ଘରୋଇ ନିବେଶରେ ବୃଦ୍ଧି ହୋଇପାରେ।

ସିଆଇଆଇ ପକ୍ଷରୁ କୁହାଯାଇଛି, ‘‘ଯଦିଓ ଭୂ-ରାଜନୈତିକ ସ୍ଥିତି ବିଶ୍ବ ସ୍ତରରେ ଚାହିଦା ଏବଂ ଯୋଗାଣ ଶୃଙ୍ଖଳାରେ ଚାଲେଞ୍ଜ ସୃଷ୍ଟି ହୋଇଛି। ଯାହା ଭାରତକୁ ମଧ୍ୟ ଚାଲେଞ୍ଜ। ହେଲେବି ଭାରତ କିନ୍ତୁ ଏହି ଚାଲେଞ୍ଜପୂର୍ଣ୍ଣ ସ୍ଥିତିରେ ଏକ ଉତ୍ତମ ବଜାର ଭାବେ ଉଭା ହୋଇଛି। ସରକାରଙ୍କ ଆର୍ଥିକ ନୀତି ଦେଶର ଅର୍ଥବ୍ୟବସ୍ଥାକୁ ପୁଣି ଥରେ ଛିଡ଼ା କରିବାରେ ସହାୟକ ହେଉଛି।’’

ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଆସନ୍ତା ବର୍ଷରେ ହେବାକୁ ଥିବା ନିବେଶ କାରଣରୁ ବିନିର୍ମାଣ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ବଢ଼ିବ, ପ୍ରତ୍ୟକ୍ଷ ରୋଜଗାରବି ବୃଦ୍ଧି ପାଇବ। ଏହି ସେକ୍ଟରର ହାରାହାରି ବୃଦ୍ଧି କ୍ରମଶଃ ୧୫ରୁ ୨୨ ପ୍ରତିଶତ ରହିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.