ଭାରତ ଉପରେ ବଢୁଛି ବିଦେଶୀ ଋଣ ଭାର, ଜାଣନ୍ତୁ GDP ଅନୁପାତରେ ଏବେ କେତେ?

Published By : Prameya-News7 Bureau | January 19, 2025 IST

ନୂଆଦିଲ୍ଲୀ ୧୯।୧: ଭାରତର ଅର୍ଥ ବ୍ୟବସ୍ଥା ଗତ କିଛି ବର୍ଷ ହେଲା ଦ୍ରୁତ ବିକାଶ କରୁଛି। ତେବେ ଏହି ବିକାଶ ସହିତ ଦେଶ ଉପରେ ବିଦେଶୀ ଋଣ ବୋଝ ମଧ୍ୟ ବଢିବଢି ଚାଲିଛି। ନିକଟରେ ଭାରତ ସରକାର ଏ ନେଇ ତଥ୍ୟ ଜାରି କରିଛନ୍ତି। ଏଥିରୁ ଦେଶ ଉପରେ ବିଦେଶୀ ଋଣ ଢେର ବଢିଯାଇଥିବା ଜଣାପଡୁଛି ଓ ଏହା ଏପର୍ଯ୍ୟନ୍ତ ସବୁଠୁ ଉଚ୍ଚତମ ସ୍ତରକୁ ପହଞ୍ଚିଥିବାର ମଧ୍ୟ ସୂଚାଉଛି। ଅର୍ଥମନ୍ତ୍ରାଳୟଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଦେଶର ବିଦେଶୀ ଋଣ ପରିମାଣ ୭୧୧.୮ ବିଲିୟନ ଡଲାର (ପାଖାପାଖି ୫୮.୬ଲକ୍ଷ କୋଟି ଟଙ୍କା) ପର୍ଯ୍ୟନ୍ତ ପହଞ୍ଚି ଯାଇଛି। 

ଏହି ପରିମାଣ ଜୁନ ୨୦୨୪ ତୁଳନାରେ ୪.୩ ପ୍ରତିଶତ ଅଧିକ। ଗତବର୍ଷ ଜୁନ ମାସ ସୁଦ୍ଧା ଭାରତର ବିଦେଶୀ ଋଣ ୬୮୨.୨ ବିଲିୟନ ଡଲାର ଥିଲା। ଯାହା ମାତ୍ର ୩ ମାସରେ ଅର୍ଥାତ ସେପ୍ଟେମ୍ବର ବେଳକୁ ୨୯.୬ ବିଲିୟନ ଡଲାର ବଢିଛି। ସେହି ଅନୁସାରେ ସେପ୍ଟେମ୍ବର ୨୦୨୪ ପର୍ଯନ୍ତ ଭାରତର ବିଦେଶୀ ଋଣ ଏହାର ସକଳ ଘରୋଇ ଉତ୍ପାଦ (ଜିଡିପି)ର ୧୯.୪ ପ୍ରତିଶତ ଥିଲା। ତେବେ ସେପ୍ଟେମ୍ବର ପୂର୍ବରୁ ଜୁନରେ ଏହି ପରିମାଣ ୧୮.୮ ପ୍ରତିଶତ ଥିଲା। 

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଋଣ ଅନୁପାତ ଜିଡିପି ତୁଳନାରେ ବଢିବାରେ ଲାଗିଛି। ଯାହା ଆଗକୁ ଚିନ୍ତାର ବିଷୟ ହୋଇପାରେ। କାରଣ ଅଧିକ ଋଣର ଅର୍ଥ ଭବିଷ୍ୟତରେ ଅଧିକ ସୁଧ ପୈଠ କରିବାର ବୋଝ ହେବ, ଯାହା ସରକାରଙ୍କ ଆର୍ଥିକ ସ୍ଥିତି ଓ ସ୍ଥିରତାକୁ ପ୍ରଭାବିତ କରିବ। ତେବେ ଭାରତର ବିଦେଶୀ ଋଣ ବିଭିନ୍ନ ମୁଦ୍ରାର ମିଶ୍ରଣ। ଯେଉଁଥିରେ ସବୁଠୁ ବଡ଼ ଅଂଶ ଆମେରିକୀୟ ମୁଦ୍ରା ଡଲାରର ରହିଛି।  ସେପ୍ଟେମ୍ବର ୨୦୨୪ରେ ଭାରତର ବିଦେଶୀ ଋଣର ୫୩.୪ ପ୍ରତିଶତ ଆମେରିକୀୟ ଡଲାରରେ ଥିଲା। ଏହା ପଛକୁ ଭାରତୀୟ ମୁଦ୍ରାରେ ୩୧.୨ ପ୍ରତିଶତ, ଜାପାନୀ ୟେନରେ ୬.୬ ପ୍ରତିଶତ, ଏସଡିଆର(ବିଶେଷ ଆହରଣ ଅଧିକାର)ରେ ୫ ପ୍ରତିଶତ ଓ ୟୁରୋରେ ୩ ପ୍ରତିଶତ ଥିଲା। 

ତେବେ ଭାରତର ବିଦେଶୀ ଋଣର ସ୍ଥିତି ଏବେ ଏତେ ଗୁରୁତର ହୋଇ ନାହିଁ, ଯାହା ଦ୍ୱାରା କୌଣସି ତତ୍କାଳ ଆର୍ଥିକ ସଂକଟ ଉପୁଜିବ। ତେବେ ଋଣର ସ୍ତର ଓ ସୁଧହାର ବଢିଲେ ଭବିଷ୍ୟତରେ ଦେଶ ପାଇଁ ମସ୍ତବଡ ଚ୍ୟାଲେଞ୍ଜ ହୋଇପାରେ। ଏଣୁ ବିଦେଶୀ ଋଣ ପ୍ରବନ୍ଧନରେ ସରକାରଙ୍କୁ ସନ୍ତୁଳନ ରକ୍ଷା କରିବାକୁ ହେବ। ଯାହା ଦ୍ୱାରା ଦେଶର ବିକାଶ ଲକ୍ଷ ପୂରଣ ହେବା ସହ ଋଣ ବୋଝକୁ ବି ଦେଶ ନିୟନ୍ତ୍ରିତ କରିପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.