ନୂଆଦିଲ୍ଲୀ ୦୯/୧୧: ନ୍ୟୁଜିଲାଣ୍ଡଠୁ ଶୋଚନୀୟ ପରାଜୟ ପରେ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ଝୁଲୁଛି ଖଣ୍ଡା । ବିସିସିଆଇ ପକ୍ଷରୁ ବସିଥିଲା ସମୀକ୍ଷା ବୈଠକ । ଯେଉଁଥିରେ କୋଚ୍ ଗମ୍ଭୀର, ଅଧିନାୟକ ରୋହିତ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଯୋଗ ଦେଇଥିଲେ । ଏହି ସମୟରେ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ଗମ୍ଭୀରଙ୍କ କୋଚିଂ ଶୈଳୀ ନେଇ ଉଠିଥିଲା ପ୍ରଶ୍ନ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ପରଠାରୁ ଟିମ୍ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀର, ଅଧିନାୟକ ରୋହିତ ଶର୍ମା ଏବଂ କିଛି ବରିଷ୍ଠ ଖେଳାଳି ସମାଲୋଚନା କରିଆସୁଛନ୍ତି । ଖେଳାଳିଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠିଥିବାବେଳେ ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ଅନେକ ନିଷ୍ପତ୍ତି ଯୋଗୁଁ ସେମାନଙ୍କୁ ସମାଲୋଚନା କରାଯାଉଛି। ଏସବୁ ମଧ୍ୟରେ ବର୍ତ୍ତମାନ ଏକ ରିପୋର୍ଟ ଆସିଛି ଯାହା ଟିମ୍ ଇଣ୍ଡିଆରେ ଅଲ ଇଜ୍ ନଟ୍ ଓ୍ୱେଲ୍ ବୋଲି ଇଙ୍ଗିତ କରୁଛି ।
ଏହାର କାରଣ ହେଉଛି କୋଚ୍ ଗମ୍ଭୀର ଏବଂ ଦଳର ମ୍ୟାନେଜମେଣ୍ଟର କିଛି ସଦସ୍ୟଙ୍କ ମଧ୍ୟରେ ମତତଭେଦ ଚାଲିଛି । ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋନୀତ ଦଳରେ ଦୁଇଜଣ ଖେଳାଳିଙ୍କ ଚୟନ ପରେ ଘଟଣା ସାମ୍ନାକୁ ଆସିଛି । ନିଜ ଘରୋଇ ଗ୍ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ପ୍ରାୟ ୧୨ ବର୍ଷ ପରେ ଭାରତ ଏକ ଟେଷ୍ଟ ସିରିଜରେ ପରାସ୍ତ ହୋଇଥିଲା ।
ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ତିନି ଟେଷ୍ଟ ସିରିଜରେ ଏପରି ପରାଜୟ ହାସଲ କରିବା । ଏଭଳି ଲଜ୍ଜାଜନକ ପ୍ରଦର୍ଶନ ପରେ ବିସିସିଆଇ ଅଧିକାରୀମାନେ ନଭେମ୍ବର ୮ରେ ଏକ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ କୋଚ୍ ତଥା ଅଧିନାୟକଙ୍କ ବ୍ୟତୀତ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ଉପସ୍ଥିତ ଥିଲେ। ରିପୋର୍ଟରେ କୁହାଯାଇଛି ଯେ ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ହେଲା ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀ ।
ବୋର୍ଡ ଅଧିକାରୀମାନେ ଗମ୍ଭୀରଙ୍କ କୋଚିଂ ଉପରେ ପ୍ରଶ୍ନ ଉଠାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହା ନିଶ୍ଚିତ ଭାବେ ସାମ୍ନାକୁ ଆସିଛି ଯେ କୋଚ୍ ଗମ୍ଭୀର ଏବଂ ଥିଙ୍କ ଟ୍ୟାଙ୍କ ର ଚିନ୍ତାଧାରା ସମାନ ନୁହେଁ । କୋଚ୍ ଗମ୍ଭୀରଙ୍କ ସହ କେଉଁ ସଦସ୍ୟଙ୍କ ମତଭେଦ ରହିଛି ତାହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ। କହିବାକୁ ଗଲେ 'ଥିଙ୍କ ଟ୍ୟାଙ୍କ' ଅର୍ଥ ଦଳ ପରିଚାଳନା । ଯେଉଁଥିରେ ମୁଖ୍ୟ ପ୍ରଶିକ୍ଷକ, ଅଧିନାୟକ, ସହକାରୀ ପ୍ରଶିକ୍ଷକ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ନେଇ ଗଠିତ ।
ବର୍ତ୍ତମାନ ପ୍ରଶ୍ନ ହେଉଛି ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ନିଷ୍ପତ୍ତି ଉପରେ କୌଣସି ସହମତି ରହୁନି । ବା ମୁଖ୍ୟ ଚୟନକର୍ତ୍ତା ଓ କୋଚ୍ ଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ । ଏହାର କୌଣସି ସ୍ପଷ୍ଟ ଉତ୍ତର ନାହିଁ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋନୀତ ଦଳରେ ଦୁଇଜଣ ଖେଳାଳି ଚୟନକୁ ନେଇ କୌଣସି ସହମତି ହୋଇନଥିବା ଆଉ ମତଭେଦ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ଦୁଇ ଖେଳାଳି ହେଉଛନ୍ତି ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଏବଂ ଯୁବ ଦ୍ରୁତ ବୋଲର ହର୍ଷିତ ରାଣା ।