ଦେଶକୁ ଫେରିଲେ ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟ, ଅମୃତସରରେ ବିମାନର ଅବତରଣ

Published By : Prameya-News7 Bureau | February 05, 2025 IST

tv9hindi.com

ନୂଆଦିଲ୍ଲୀ: ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନେଇ ଉଡାଣ ଭରିଥିବା ବିମାନ ଅମୃତସର ବିମାନ ବନ୍ଦରରେ ଅବତରଣ କରିଛି । ଆମେରିକା ବାୟୁସେନାର ସି-୧୭ ବିମାନ ବୁଧବାର ଅପରାହ୍ଣ ୧.୪୫ ମିନିଟରେ ଦେଶରେ ପହଞ୍ଚିଛି । ଏହି ବିମାନରେ ୧୦୪ ଜଣ ପ୍ରବାସୀ ଭାରତୀୟ ଥିବା ଜଣାପଡ଼ିଛି । 

ଅମୃତସରରେ ଅବତରଣ କରିଥିବା ବିମାନରେ ମୋଟ ୧୦୪ ଜଣ ଭାରତୀୟ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୩ ପିଲା, ୭୯ ପୁରୁଷ ଏବଂ ୨୫ ମହିଳା ସାମିଲ ଅଛନ୍ତି । ଏଥିରୁ ୩୩ ଜଣ ଗୁଜରାଟର ଅଛନ୍ତି । ହରିୟାଣାର ୩୩, ପଞ୍ଜାବର ୩୦, ମହାରାଷ୍ଟ୍ର ୩, ଉତ୍ତର ପ୍ରଦେଶ ୩, ଚଣ୍ଡିଗଡ଼ର ୨ ଜଣ ଅଛନ୍ତି । ବିମାନ ବନ୍ଦର ଭିତରେ ଏବଂ ବାହାରେ ପଞ୍ଜାବ ପୋଲିସ ଏବଂ ସିଆଇଏସଏଫ ଯବାନ ମୁତୟନ ଅଛନ୍ତି । ଆମେରିକା ସେନାର ବିମାନ ସି-୧୭ ମଙ୍ଗଳବାର ଆମେରିକାର ସେନ୍ ଏଣ୍ଟୋନିଓରୁ ଅମୃତସର ଏୟାରପୋର୍ଟ ଅଭିମୁଖ ଉଡାଣ ଭରିଥିଲା । ଅମୃତସର ପହଞ୍ଚିଥିବା ବିମାନରେ ଅଧିକାଂଶ ଲୋକ ପଞ୍ଜାବର ବାସିନ୍ଦା । ଏମାନେ ଡଙ୍କି ରୁଟ୍ କିମ୍ୱା ଅନ୍ୟ କୌଣସି ରାସ୍ତାରେ ଆମେରିକା ପହଞ୍ଚିଥାଇ ପାରନ୍ତି । ତେବେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଦସ୍ତାବିଜ ନଥିଲା ।

ପୂର୍ବରୁ ସୂଚନା ଥିଲା ଯେ ବିମାନ ୨୦୫ ଜଣଙ୍କୁ ଧରି ଭାରତ ଆସୁଛି, କିନ୍ତୁ ଏବେ ୧୦୪ ଜଣ ହିଁ ଆସିଥିବା ସ୍ପଷ୍ଟ ହୋଇଛି । ଆମେରିକାରେ ବେଆଇନ ଭାବେ ରହିଥିବା ପ୍ରବାସୀ ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ଭାରତରେ ଆସି ପହଞ୍ଚିଛି । ଆଗାମୀ ଦିନରେ ଆମେରିକାରୁ ଏପରି ଅନେକ ବିମାନ ଭାରତ ଆସିପାରେ । ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦେଶରେ ବେଆଇନ ପ୍ରବାସୀଙ୍କୁ ସେମାନଙ୍କ ମୂଳ ଦେଶକୁ ପଠାଇବେ ବୋଲି ଘୋଷଣା କରିଥିଲେ । ସୂଚନା ଅନୁସାରେ ଆମେରିକାରେ ବେଆଇନ ଭାବେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି । ସେଥିରୁ ପ୍ରାୟ ୫୦୦୦ଙ୍କୁ ଚିହ୍ନିଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.