ଗତ ୧୦ ବର୍ଷରେ ବନ୍ଦ ହୋଇଛି ପ୍ରାୟ ୫୦ ହଜାର ଛୋଟ ବ୍ୟବସାୟ: ବେରୋଜଗାର ହୋଇଛନ୍ତି ୩ ଲକ୍ଷରୁ ଅଧିକ ଲୋକ

Published By : Prameya-News7 Bureau | July 25, 2024 IST

internet

ନୂଆଦିଲ୍ଲୀ: ଗତ ୧୦ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୫୦ ହଜାର ଛୋଟ ବ୍ୟବସାୟ ବନ୍ଦ ହେବା ଫଳରେ ୩ ଲକ୍ଷରୁ ଅଧିକ ଲୋକ ବେରୋଜଗାର ହୋଇଛନ୍ତି। ଗୁରୁବାର ଲୋକସଭାର ଲିଖିତ ଉତ୍ତର ଦେଇ ଏପରି ସୂଚନା ଦେଇଛନ୍ତି କେନ୍ଦ୍ର ଶୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନ ରାମ ମାଝୀ। 

ମନ୍ତ୍ରୀ କହିଛନ୍ତି ଯେ ପଞ୍ଜିକୃତ ହୋଇଥିବା ଲକ୍ଷାଧିକ ଏମ୍‌ଏସଏମ୍‌ଇ ମଧ୍ୟରୁ ୦.୧୭ ପ୍ରତିଶତ ଅର୍ଥାତ୍ ୪୯,୩୪୨ଟି ବନ୍ଦ ହୋଇଯିବା କାରଣରୁ ଦେଶରେ ୩, ୧୭, ୬୧୪ ଲୋକ ଚାକିର ହରାଇଛନ୍ତି। ଯେଉଁମାନେ ଚାକିରି ହରାଇଲେ ସେମାନେ ୧ ଜୁଲାଇ ୨୦୨୦ରେ ଉଦ୍ୟମ ରେଜିଷ୍ଟ୍ରେସନ ପୋର୍ଟାଲ୍‌ରେ ପଞ୍ଜିକୃତ ହୋଇଥିବା ୧୮୧.୬ ମିଲିଅନ ୱାର୍କଫୋର୍ସରେ ସାମିଲ ଥିଲେ। ଏମାନେ ପୋର୍ଟାଲ୍‌ରେ ପଞ୍ଜିକରଣ ବନ୍ଦ କରିଥିବା ଦର୍ଶାଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। 

ନିକଟରେ ପ୍ରକାଶ ପାଇଥିବା ବାର୍ଷିକ ପିରିୟଡିକ ଲେବର ଫୋର୍ସ ସର୍ଭେ(ନିର୍ଦ୍ଦିଷ୍ଟ ଅବଧିରେ ଶ୍ରମ ବଳ ସର୍ଭେକ୍ଷଣ) ରିପୋର୍ଟ ଅନୁସାରେ, ୧୫ ବର୍ଷ ଏବଂ ତଦୁର୍ଦ୍ଧ ବୟସ୍କଙ୍କ ବେକାରୀ ସଂଖ୍ୟା ୨୦୨୦-୨୧ରେ ୪.୨ ପ୍ରତିଶତ, ୨୦୨୧-୨୨ରେ ୪.୧ ପ୍ରତିଶତ ଓ ୨୦୨୨-୨୩ରେ ୩.୨ ପ୍ରତିଶତ ରହିଥିଲା ବୋଲି ଆକଳନ କରାଯାଇଛି ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ କହିଥିଲା। 

ହେଲେ କେନ୍ଦ୍ରମନ୍ତ୍ରୀ ମାଝୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ସର୍ବାଧିକ ୧୨,୨୩୩ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଛି। ଫଳରେ ରାଜ୍ୟରେ ୫୪,୦୫୩ ଜଣ ଲୋକ ଚାକିରି ହରାଇଛନ୍ତି। ଏହା ପଛକୁ ରହିଛି ତାମିଲନାଡୁ। ଏଠାରେ ୬,୨୯୮ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଥିବା ବେଳେ ୪୩,୩୨୪ ଜଣ ଚାକିରି ହରାଇଛନ୍ତି। ତାଙ୍କ ପଛକୁ ଉତ୍ତର ପ୍ରଦେଶ(୩,୪୨୫ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଛି ୩୩,୨୩୦ ବେରୋଜଗାର), ଗୁଜରାଟ(୪,୮୬୧ ବନ୍ଦ,୨୨,୩୪୫ ବେରୋଜଗାର) ଏବଂ ବିହାରରେ ୨,୪୧୪ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଥିବା ବେଳେ ଚାକିରି ହରାଇଛନ୍ତି ୧୫ ହଜାର ୩୧୭ ଲୋକ। ସେହିପରି ଦୀର୍ଘ ୧୯ ବର୍ଷ ଧରି ବିଜେପି ଶାସନାଧିନ ମଧ୍ୟପ୍ରଦେଶରେ ୧,୬୫୩ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଛି। ଏଠାରେ ୧୧,୭୨୭ ଲୋକ ଚାକିରି ହରାଇଛନ୍ତି।  

ତେବେ ଏହିସବୁ ଛୋଟ ଛୋଟ ବ୍ୟବସାୟ ବନ୍ଦ ହେବାର ଏକାଧିକ କାରଣ ରହିଛି। ଯଥା କମ୍ପାନୀର ମାଲିକାନା ପରିବର୍ତ୍ତନ, ଅନାବଶ୍ୟକ ପ୍ରମାଣପତ୍ର ଏବଂ ନକଲ ପଞ୍ଜୀକରଣ ଆଦି ଯୋଗୁ ଏମ୍‌ଏସ୍‌ଏମ୍‌ଇଗୁଡିକ ବନ୍ଦ ହୋଇଗଲା ବୋଲି ମନ୍ତ୍ରୀ କହିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ୯୪୭ଟି ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଥିବା ବେଳେ ଏଠାରେ ୮,୨୧୦ ଜଣ ଚାକିରି ହରାଇଛନ୍ତି। ସେହିପରି ପଶ୍ଚିମବଙ୍ଗରେ ୧୫୪୮ ବନ୍ଦ ୮,୮୫୬ ବେରୋଜଗାରୀ ଓ କେରଳରେ ୧୩୩୬ ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଛି। ଏଠାରେ ୧୨,୬୭୨ ବେରୋଜଗାର ହୋଇଛନ୍ତି। 

ଏମ୍‌ଏସ୍‌ଏମ୍‌ଇକୁ ପ୍ରୋତ୍ସାହିତ କରିବାକୁ ବଜେଟ୍‌ରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ଦେଶରେ ଏମ୍‌ଏସ୍‌ଏମ୍‌ଇକୁ ବଳ ଦେବାକୁ ଗତ ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକାଧିକ ବଡ଼ ଘୋଷଣା କରିଥିଲେ। ବଜେଟରେ ଏମଏସଏମଇଗୁଡିକ ପାଇଁ ଆର୍ଥିକ ଏବଂ ବୈଷୟିକ ସହାୟତା ଉପରେ ଗୁରୁତ୍ୱ ଦିଆଯାଇଛି, ବନ୍ଧକ ବିନା ଯନ୍ତ୍ରପାତି କଣିବାକୁ ଋଣ ପାଇଁ ଏକ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା, ପ୍ରତ୍ୟୋକ ଋଣ ଗ୍ରହିତାଙ୍କୁ ୧୦୦ କୋଟି ପର୍ଯ୍ୟନ୍ତ ସେଲ୍ଫ ଫାଇନାନ୍ସିଂ ଗ୍ୟାରେଣ୍ଟି ଫଣ୍ଡ ସହିତ MSMEକୁ ଋଣ ପାଇଁ ଡିଜିଟାଲ ଫୁଟପ୍ରିଣ୍ଟ ଆଧାରରେ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକରେ ନୂଆ ମୂଲ୍ୟାଙ୍କନ ମଡେଲ୍ ପ୍ରସ୍ତାବ ଦିଆଯାଇଛି।

ଏହା ବାଦ୍ ଅତିରିକ୍ତ ଭାବେ MSMEକୁ ଯେମିତି ଏନ୍‌ପିଏ(ନନ ପରଫର୍ମିଂ ଆସେଟ୍) ହୋଇ ନଯାଉ ଏଥିପାଇଁ ବିଜନେଶର ମାନ୍ଦାବସ୍ଥାରେ ଋଣ ସହାୟତା ବଢ଼ାଇବାକୁ ବଜେଟ୍‌ରେ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ମୁଦ୍ରା ଋଣକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି। ତତ୍‌ସହିତ ୩ ବର୍ଷ ମଧ୍ୟରେ ବହୁଳ MSME ଥିବା ଅଞ୍ଚଳରେ ୨୪ ଟି ନୂଆ ସ୍ମଲ ଇଣ୍ଡଷ୍ଟ୍ରୀଜ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସଆଇଡିବିଆଇ) ବ୍ରାଞ୍ଚ ଖୋଲିବାକୁ ଯୋଜନା କରାଯାଉଛି। ତା ସହିତ ଏମଏସଏମଇ ଏବଂ ପାରମ୍ପାରିକ କାରିଗରମାନେ ଯେମିତି ବିନା ଅସୁବିଧାରେ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ି ହୋଇପାରିବେ ଏଥିପାଇଁ ପିପିପି ମୋଡ୍‌ରେ ଇ-କମର୍ଶ ଏକ୍ସପୋର୍ଟ ହବ୍ ଖୋଲାଯିବ।

ଭାରତର ମୋଟ ରପ୍ତାନୀର MSMEର ଭାଗ ୪୫ ପ୍ରତିଶତ 

ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (GTRI) ର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶର ମୋଟ ରପ୍ତାନୀର ପ୍ରାୟ ୪୫% ଏମ୍ଏସ୍ଏମ୍ଇ ଯୋଗଦାନ କରୁଛି। ତଥାପି, ଏହାକୁ ଆହୁରି ବଢ଼ାଇବା ପାଇଁ ଅପାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ NITI ଆୟୋଗ ଏବଂ ଫାଉଣ୍ଡେସନ ଫର ଇକୋନୋମିକ୍ ଡେଭଲପମେଣ୍ଟ ଦ୍ୱାରା ମିଳିତ ଭାବରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଏମଏସଏମଇ କ୍ଷେତ୍ରରେ ରପ୍ତାନୀକୁ ସେତେ ପ୍ରୋତ୍ସାହିତ କରାଯାଇ ନାହିଁ। ଯଦିଓ ଏମଏସଏମଇ ଭାରତର ଅର୍ଥନୀତିର ପାୱାର ହାଉସ ହୋଇଥିବା ବେଳେ ନିଯୁକ୍ତି ସୃଷ୍ଟି, ରପ୍ତାନୀ ଓ ସାମୁହିକ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏମଏସଏମଇର ବଡ଼ ଯୋଗଦାନ ରହିଛି। 

ଉଦ୍ୟୋମ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ, ନୀତି ଆୟୋଗ ରିପୋର୍ଟ କୁହାଯାଇଛି ଯେ ଏମଏସଏମଇ ରପ୍ତାନି କରିବାର ସୁଯୋଗ ଥିବା ସତ୍ତ୍ୱେ କେବଳ ୦.୯୫% ଏମଏସଏମଇକୁ ଏଥିରେ ନିୟୋଜିତ କରାଯାଇଛି। ଉଦ୍ୟମରେ ପଞ୍ଜୀକୃତ ହୋଇଥିବା ୧୫.୮ ମିଲିଅନ ଏମଏସଏମଇ ମଧ୍ୟରୁ କେବଳ ମାତ୍ର ୧୫୦,୦୦୦ ସଂସ୍ଥାର ସାମଗ୍ରୀ ଏବଂ ସେବା ରପ୍ତାନି ହେଉଛି ବୋଲି ସେମାନେ କହୁଛନ୍ତି। ଇ-ବାଣିଜ୍ୟ ମାର୍ଗ ମାଧ୍ୟମରେ ଏମଏସଏମଇ ରପ୍ତାନି କ୍ଷେତ୍ରରେ ଚୀନ୍ ତୁଳନାରେ ଭାରତ ବହୁ ପଛରେ ରହିଛି ବୋଲି GTRI ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଅନୁସାରେ, ୨୦୨୨ରେ ଇ-କମର୍ଶ ପ୍ଲାଟଫର୍ମରେ ଚୀନ ୨୦୦ ବିଲିଅନ ଡଲାରର ଏମଏସଏମଇ ପ୍ରଡକ୍ଟ ରପ୍ତାନୀ କରିଥିଲା। ଅପରପକ୍ଷରେ ଭାରତ ରପ୍ତାନୀ ମାତ୍ର ୨ ବିଲିଅନ ଡଲାର ହୋଇଥିଲା। 

ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତର ବାଣିଜ୍ୟ ରପ୍ତାନି ବର୍ଷକୁ ବର୍ଷ ତୁଳନାରେ ୩.୧୧% ହ୍ରାସ ପାଇ ୪୩୭.୦୬ ବିଲିୟନ ଡଲାରରେ ପହଞ୍ଚିଛି। ତେଣୁ ଭାରତ ସରକାର ବର୍ତ୍ତମାନ ଏମଏସଏମଇ ରପ୍ତାନି ଉପରେ ଅଧିକ ଧ୍ୟାନ  ଦେଉଛନ୍ତି। ସୂଚନା ଥାଉକି ଭାରତର ଜିଡିପିରେ ଏମଏସଏମଇ ପ୍ରାୟ ୨୭% ଯୋଗଦାନ ଦେଉଛି। ଏଥିରେ ୧୧୦ ମିଲିୟନରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଛି। ଯାହା କୃଷି ପରେ ଦେଶର ଦ୍ୱିତୀୟ ବୃହତ୍ତମ ନିଯୁକ୍ତିଦାତା ବିଭାଗ ହୋଇପାରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.