ବସ୍ତିକୁ ମାଲ୍‌ବାହୀ ଟ୍ରେନ ବଗି ମାଡିଯିବା ଘଟଣାରେ ଆକ୍ସନ, ଷ୍ଟେସନ ମ୍ୟାନେଜରଙ୍କ ସହ ୫ ନିଲମ୍ବିତ

Published By : Prameya-News7 Bureau | February 06, 2025 IST

ରାଉରକେଲା ୬/୨: ମାଲ୍‌ବାହୀ ଟ୍ରେନ ବସ୍ତିକୁ ମାଡିଯିବା ଘଟଣାରେ ଆକ୍ସନ । ଷ୍ଟେସନ ମ୍ୟାନେଜର ପି.କେ ଦାସ ନିଲମ୍ବିତ । ତାଙ୍କ ସହ ମାଲଗାଡି ଚାଳକ, ଗାର୍ଡଙ୍କ ସହ ୨ ଜଣ ସନଟିଙ୍ଗ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଦାୟିତ୍ବରେ ଅବହେଳା ଯୋଗୁ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ପୂର୍ବ ରେଳବାଇ କର୍ତ୍ତୃପକ୍ଷ । ସେପଟେ ରେଳବାଇ ଜିଏମ୍‌ ଅନୀଲ ମିଶ୍ରଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଛି ୩ ଜଣିଆ କମିଟି । ରେଲୱେ ଟ୍ରାକ ଠିକ୍‌ ଥିଲା ତ ?  କେଉଁ ପରିସ୍ଥିତିରେ ଏଭଳି ଘଟିଲା ? ତ୍ରୁଟି ପାଇଁ ଦାୟୀ କିଏ ? ସିଗନାଲରେ ତ୍ରୁଟି ଥିଲା କି ? ଏମିତି ବିଭିନ୍ନ ଦିଗକୁ ନେଇ ଛାନଭିନ ଚାଲିଛି । 

ବୁଧବାର ସକାଳ ପ୍ରାୟ ସାଢେ ଛଅଟା । ସହରର ବାସନ୍ତୀ କଲୋନୀର ମାଲଗୋଦାମ ବସ୍ତି ପ୍ରବଳ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ହଠାତ କେହି କିଛି ଜାଣିପାରିନଥିଲେ । ବୁଝୁ ବୁଝୁ ଜଣାପଡିଲା ସହରର ପାର୍ଶେଲ ୱାର୍ଡ ପାଚେରୀ ଭାଙ୍ଗି ଜନବସିତି ଆଡକୁ ମାଡିଆସିଥିଲା ମାଲବାହୀ ଟ୍ରେନର ୩ଟି ବଗି  । କେହି କିଛି ବୁଝିବା ଆଗରୁ ବଗି ଧକ୍କାରେ ଚୁରମାର ହୋଇଯାଇଥିଲା ଅଟୋ ରିକ୍ସା ଓ ସାଇକେଲ୍‌ । ବଗି ଆଉ କିଛି ହାତ ପଛକୁ ଯାଇଥିଲେ ଘଟିଥାନ୍ତା ବଡ ଅଘଟଣ । ଅକାଳରେ ଚାଲିଯାଇଥାନ୍ତା ଅନେକ ଧନ ଜୀବନ । ତେବେ ବଗି ଜନବସତି ଆଡକୁ ମାଡିଯାଇଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଲୋକେ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । 

ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ରେଳ ବିଭାଗର ଅଧିକାରୀଙ୍କ ସହ ଏଆର୍‌ଏମ୍‌ ପହଞ୍ଚିଥିଲେ । ପ୍ରାୟ ୩ ଘଣ୍ଟା ଧରି ପରିଶ୍ରମ ପରେ ଉଦ୍ଧାରକାରୀ ଟିମ୍‌  ମାଲ୍‌ଗାଡିର ୱାଗନକୁ ଘଟଣାସ୍ଥଳରୁ ହଟାଇବା ପରେ ରାସ୍ତା ସ୍ବାଭାବିକ ହୋଇଥିଲା । ଲୋକେ ଚାଳକଙ୍କ ବେପରୁୱା ଚାଳନାକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.