ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏବେବି ଅଛନ୍ତି ୮୦% ଭାରତୀୟ, ବିଦେଶୀ ସର୍ଭେରେ ରାହୁଲ ଗାନ୍ଧିଙ୍କ ପାଇଁ ରହିଛି ଗୁଡ୍ ନ୍ୟୁଜ୍

Published By : Prameya-News7 Bureau | August 31, 2023 IST

ନୂଆଦିଲ୍ଲୀ ୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ୧୦ରୁ ୮ ଭାରତୀୟଙ୍କ ରାୟ ବହୁତ ଭଲ। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ବହୁତ ଭଲ କାମ କରୁଥିବାର ମଧ୍ୟ ଲୋକେ ମାନୁଛନ୍ତି। ଆମେରିକାସ୍ଥିତ ଥିଙ୍କ ଟ୍ୟାଙ୍କ ’ପ୍ୟୁ ରିସର୍ଚ୍ଚ ସେଣ୍ଟର’ ସର୍ଭେରେ ଏହି କଥା ଜଣାପଡିଛି। ଏହି ସର୍ଭେ ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ଥରେ ନିର୍ବାଚିତ ହେବା ପାଇଁ ରଣାଙ୍ଗନକୁ ଓହ୍ଲାଇବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦି ଏବେବି ଦେଶରେ ସବୁଠୁ ଲୋକପ୍ରିୟ ନେତା।

ସର୍ଭେରେ ସାମିଲ ୧୦ଜଣଙ୍କ ମଧ୍ୟରୁ ୭ ଜଣ ଭାରତୀୟ ଏହା ମାନିଛନ୍ତି ଯେ ଗତ କିଛି ବର୍ଷରେ ବିଶ୍ୱ ଉପରେ ଭାରତର ପ୍ରଭାବ ପୂର୍ବାପେକ୍ଷା ବହୁତ ଅଧିକ ବଢିଛି। ତେବେ ଏଥିରେ ଏପରି ୧୯ ପ୍ରତିଶତ ଲୋକେ ଅଛନ୍ତି ଯେଉଁମାନେ ଏହି ସମୟରେ ଭାରତର ପରିସ୍ଥିତି ଅତ୍ୟନ୍ତ ଦୟନିୟ ହୋଇପଡିଥିବାର ମଧ୍ୟ ଭାବୁଛନ୍ତି। ତେବେ ଭାରତର ପରିସ୍ଥିତିରେ ସେପରି କୌଣସି ପରିବର୍ତ୍ତନ ହୋଇନଥିବାର ୧୩ ପ୍ରତିଶତ ଲୋକେ କହନ୍ତି। ତେବେ ସର୍ଭେରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୧୦ଜଣରୁ ୬ ଜଣ ଭାରତୀୟ ଭଲ ଭୂମିକାରେ ଦେଖୁଛନ୍ତି।

{"id":838566,"width":843,"height":553,"sizeSlug":"full","linkDestination":"none"}

ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧି ବେଶ ଭଲ କାମ କରୁଥିବା ଏହି ଲୋକମାନେ ମତ ଦିଅନ୍ତି।  ସର୍ଭେର ଏହି ଫଳାଫଳ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ମଧ୍ୟ ଆଶ୍ୱସ୍ତ କରୁଛି। ତେବେ ୩୪ ପ୍ରତିଶତ ଏପରି ଲୋକେ ଅଛନ୍ତି ଯେଉଁମାନେ ରାହୁଲ ଗାନ୍ଧିଙ୍କ ଦ୍ୱାରା ପ୍ରଭାବିତ ନଥିବା ଦେଖାଯାଇଛି। ଏହି ସର୍ଭେରେ ଭାରତ ଓ ଭାରତ ବାହାରେ ରହୁଥିବା ଲୋକଙ୍କର ରାୟ ମଧ୍ୟ ନିଆଯାଇଛି। ଏଥିରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତ ବାହାରେ ଅନେକ ଦେଶରେ ଲୋକେ ଜଣେ ଜନପ୍ରିୟ ନେତା ଭାବନ୍ତି ।

ଏହି ସର୍ଭେର ଫଳାଫଳ ଏପରି ଏକ ସମୟରେ ଆସିଛି ଯେତେବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଅନୁସାରେ ଭାରତ ସମ୍ପର୍କରେ ବିଶ୍ୱର ପାଖାପାଖି ୨୩ଟି ବଡ଼ ଦେଶର ଲୋକେ ସକରାତ୍ମକ ରାୟ ରଖୁଛନ୍ତି। ସର୍ଭେ ଫଳାଫଳ ଅନୁସାରେ ୪୬ ପ୍ରତିଶତ ବୟସ୍କ ଲୋକେ ଭାବନ୍ତି ନରେନ୍ଦ୍ର ମୋଦି ଭାରତ ନିମନ୍ତେ ବହୁତ ଭଲ କାମ କରୁଛନ୍ତି। ଏଥିରେ ୩୪ ପ୍ରତିଶତଙ୍କ ରାୟ ହେଉଛି ତାଙ୍କ କାମ ହାରାହାରି। ଭାରତ ଲାଗି ସବୁଠୁ ଅଧିକ ଭଲପାଇବା ଇସ୍ରାଏଲ ଲୋକଙ୍କ ଠାରେ ଦେଖାଯାଇଛି। ସର୍ଭେରେ ୭୧ ପ୍ରତିଶତ ଇସ୍ରାଏଲୀ ଭାରତ ସମ୍ପର୍କରେ ସକରାତ୍ମକ ରାୟ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ ଓ ଭାରତ ଏବେ ‘ଆଇ ଟୁ ୟୁ ଟୁ’ ସଙ୍ଗଠନରେ ମଧ୍ୟ ଏକାଠି  ହୋଇଛନ୍ତି। ଯେଉଁଥିରେ ଆମେରିକା ଓ ୟୁଏଇ ମଧ୍ୟ ଅଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାର କାଳରେ ଭାରତ ଓ ଇସ୍ରାଏଲ ସମ୍ପର୍କ ଆହୁରି ନିବିଡ ହୋଇଛି। ଭାରତ ସମ୍ପର୍କରେ ବିଶେଷ କରି କେନ୍ୟା, ନାଇଜେରିଆ ଓ ବ୍ରିଟେନରେ ଅଧିକ ଲୋକେ ଭଲ ରାୟ ରଖନ୍ତି। ଏହି ସବୁ ଦେଶଙ୍କ ୬୦ ପ୍ରତିଶତ ଲୋକେ ଭାବନ୍ତି ଭାରତ ଭଲ କାମ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.