ହରିୟାଣା ନିର୍ବାଚନରେ ରୋଚକ ହେବ ଜୁଲାନା ଲଢେଇ, ଭିନେଶଙ୍କ ସାମନାରେ ଏହି ରେସଲରଙ୍କୁ ଓହ୍ଲାଇଲା ଆପ୍

Published By : Prameya-News7 Bureau | September 11, 2024 IST

Aaj Tak

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ପ୍ରାର୍ଥୀ ହେବା ପରେ ଚର୍ଚ୍ଚାକୁ ଆସିଥିବା ଜୁଲାନା ଆସନରେ ମୁକାବିଲା ରୋଚକ ହେବାକୁ ଯାଉଛି । ବିଜେପି ଏହି ଆସନରୁ ପୂର୍ବତନ ପାଇଲଟ୍ ଯୋଗେଶ ବୈରାଗୀଙ୍କୁ ପ୍ରାର୍ଥୀ କରିଛି । ଏବେ ଆମ୍ ଆଦମୀ ପାର୍ଟି ଡବ୍ଲୁଡବ୍ଲୁଇ ମହିଳା ରେସଲର କବିତା ଦଲାଲଙ୍କୁ ମୈଦାନକୁ ଓହ୍ଲାଇଛି । କବିତା କିଛି ବର୍ଷ ପୂର୍ବେ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ । ଜିନ୍ଦ ଜିଲ୍ଲାରୁ ଆସୁଥିବା କବିତା ଉତ୍ତର ପ୍ରଦେଶର ୱାଗପତ ଜିଲ୍ଲା ସ୍ଥିତ ବିଜୱାଡା ଗାଁର ବୋହୂ । ସେ ଡବ୍ଲୁଡବ୍ଲୁଇରେ ଭାରତର ପ୍ରଥମ ମହିଳା ରେସଲର୍ ।

ଜିନ୍ଦ ଜିଲ୍ଲାର ଜୁଲାନା ଆସନରୁ କଂଗ୍ରେସ ଭିନେଶ ଫୋଗାଟ, ବିଜେପି କ୍ୟାପ୍ଟେନ ଯୋଗେଶ ବୈରାଗୀ ଏବଂ ଜେଜେପି ବର୍ତ୍ତମାନର ବିଧାୟକ ଅମରଜିତ୍ ସିଂହ ଢାଣ୍ଡାଙ୍କୁ ମୈଦାନକୁ ଓହ୍ଲାଇଛି । ଏବେ ଆପ୍ କବିତା ଦଲାଲଙ୍କୁ ଟିକଟ ଦେଇଛି । ଜୁଲାନାରୁ ଏବେ ଦୁଇ ମହିଳା ରେସଲର୍, ଜଣେ ପୂର୍ବତନ ପାଇଲଟ୍ ଏବଂ ବର୍ତ୍ତମାନ ବିଧାୟକଙ୍କ ମଧ୍ୟରେ ରୋଚକ ଲଢେଇ ହେବାକୁ ଯାଉଛି । ଜିନ୍ଦ ଜିଲ୍ଲାର ଏହି ଆସନରେ ବିଜେପି କେବେ ବି ବିଜୟୀ ହୋଇ ନାହିଁ । ଅନ୍ୟପଟେ କଂଗ୍ରେସ ଶେଷ ଥର ପାଇଁ ୨୦୦୫ରେ ଜିତିଥିଲା ।

କବିତାଙ୍କ କ୍ୟାରିୟରରେ ସବୁଠୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ୨୦୧୭ରେ ଆସିଥିଲା, ଯେତେବେଳେ ଡବ୍ଲୁଡବ୍ଲୁଇ ତାଙ୍କ ସହ କନଟ୍ରାକ୍ଟ ସାଇନ୍ କରିଥିଲା । ୨୦୧୮ରେ କବିତା ଡବ୍ଲୁଡବ୍ଲୁଇ ରିଙ୍ଗରେ ପ୍ରଥମ ଥର ଓହ୍ଲାଇଲେ । ଏହାପରଠୁ ସେ ଚର୍ଚ୍ଚାରେ ରହିଆସୁଥିଲେ । କବିତା ୨୦୨୨ରେ ଆମ୍ ଆଦମୀ ପାର୍ଟିରେ ସାମିଲ ହେଲା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ କାମରେ ପ୍ରଭାବିତ ହୋଇଥିବା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.