ଓ୍ବାକଫ ବିଧେୟକ ୨୦୨୫; ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅସଦୁଦ୍ଦିନ ଓଓ୍ବେସି

Published By : Prameya-News7 Bureau | April 04, 2025 IST

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଥିବା ଓ୍ବାକଫ୍ ବିଧେୟକ ୨୦୨୫କୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଏଆଇଏମଆଇଏମର ପ୍ରମୁଖ ଅସଦୁଦ୍ଦିନ ଓଓ୍ବେସି । ସେ ଆବେଦନରେ ଓ୍ବାକଫ୍ ସଂଶୋଧନ ବିଲ୍‌ର ସମ୍ବିଧାନିକ ବୈଧତାକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି । ସଂସଦରେ ମଧ୍ୟ ଓ୍ବାକଫ୍ ବିଲ୍‌କୁ ବିରୋଧ କରିଥିଲେ ଏବଂ ଏହାର ଏକ ପ୍ରତିକାତ୍ମକ କପିକୁ ଚିରି ଦେଇଥିଲେ । ଏଆଇଏମଆଇଏମ ପ୍ରମୁଖଙ୍କ ଏହି ଚ୍ୟାଲେଞ୍ଜ ଅବେଦନକୁ ଆଇନଜୀବୀ ଲଜଫିଲ୍ ଅହମ୍ମଦଙ୍କ ଦ୍ବାରା ସର୍ବୋଚ୍ଚ ଅଦାଲତରେ ଦାୟର କରାଯାଇଛି । 

ଓ୍ବାକଫ୍ ସଂଶୋଧିତ ବିଧେୟକ ରାଜ୍ୟସଭାରେ ଗତକାଲି ପାରିତ ହୋଇଥିଲେ । ଏଥିରେ ସପକ୍ଷରେ ୧୨୮ ସଦସ୍ୟଙ୍କ ଭୋଟ୍ ପଡ଼ିଥିବା ବେଳେ ୯୫ ଭୋଟ୍ ବିପକ୍ଷରେ ପଡ଼ିଥିଲା । ସେହିପରି ଏହି ବିଲ୍ ଏପ୍ରିଲ୍ ୩ ତାରିଖରେ ଲୋକସଭାରେ ଆଗତ ହୋଇଥିଲେ । ସେଠାରେ ୨୮୮ ଭୋଟ୍ ସହିତ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ବିଧେୟକ ବିରୋଧରେ ପଡ଼ିଥିଲା ୨୩୨ ଭୋଟ୍ । ଏହା  ପୂର୍ବରୁ ବାହାର କିଷନଗଞ୍ଜର କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ ମଧ୍ୟ ବିଲ୍‌ର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆବେଦନରେ ବିଧେୟକ ସାମ୍ବିଧାନିକ ପ୍ରାବଧାନକୁ ଉଲ୍ଲଙ୍ଘନ କରୁଥିବା କୁହାଯାଇଛି । 

ଓ୍ବରଫ୍ ବିଲ୍ ଉପରେ ସଂସଦରେ ଚର୍ଚ୍ଚା ବେଳେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଥିଲେ ଅସଦୁଦ୍ଦିନ ଓଓ୍ବେସି । ଏହି ବିଲ୍ ଆଇନରେ ପରିଣତ ହେଲେ ମୁସଲମାନଙ୍କ ସହିତ ଖରାପ ବ୍ୟବହାର କରାଯିବ । ଏହି ବିଧେୟକ ଦ୍ବାରା ମୁସଲମାନଙ୍କୁ ଟାର୍ଗେଟ୍ କରାଯାଉଛି । ସରକାରଙ୍କ ନଜରରେ  ମସଜିଦ୍, ଦରଘା ଏବଂ ମଦ୍ରାସା ରହିଛି ବୋଲି ଏଆଇଏମଆଇଏମର ପ୍ରମୁଖ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.