ଭାରତ ପେ ଠକେଇ ମାମଲାରେ ଅଶ୍ନିର ଗ୍ରୋଭରଙ୍କୁ ଝଟକା, ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି

Published By : Prameya-News7 Bureau | June 01, 2023 IST

ନୂଆଦିଲ୍ଲୀ ୧।୬: ଦିଲ୍ଲୀ ହାଇକୋର୍ଟ ଗୁରୁବାର ଭାରତ ପେର ପୂର୍ବତନ ମ୍ୟାନେଜିଂ ଡାଇରେକ୍ଟର ଅଶ୍ନିର ଗ୍ରୋଭର ଓ ତାଙ୍କ ପତ୍ନୀ ମାଧୁରୀ ଜୈନ ଗ୍ରୋଭରଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି। କମ୍ପାନୀର କଥିତ ୮୦ କୋଟି ଟଙ୍କା ଠକେଇର ଯାଞ୍ଚ ଉପରେ ରୋକ ଲଗାଇବା ପାଇଁ ଗ୍ରୋଭର ଦମ୍ପତ୍ତି କୋର୍ଟଙ୍କୁ ଆବେଦନ କରିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଫିନଟେକ୍‌ କମ୍ପାନୀ ଭାରତ ପେ ଅଶ୍ନିର ଓ ତାଙ୍କ ପତ୍ନୀ ମାଧୁରୀଙ୍କ ବିରୋଧରେ ୮୦ କୋଟି ଟଙ୍କା ଠକେଇ ନେଇ ଦିଲ୍ଲୀର ଏକ ପୋଲିସ ଥାନାରେ ଏତଲା ରୁଜୁ କରିଥିଲେ।

ଭାରତ ପେର ପୋଲିସ ଅଭିଯୋଗ ପରେ ଅଶ୍ନିର ଓ ମାଧୁରୀ ଗ୍ରୋଭର ଯାଞ୍ଚ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ଦିଲ୍ଲୀ ପୋଲିସ ଆର୍ଥିକ ଅପରାଧ ଶାଖା ଗତମାସରେ ଅଶ୍ନିର ଗ୍ରୋଭର ତାଙ୍କ ପତ୍ନୀ ମାଧୁରୀ ଗ୍ରୋଭର ଓ ତାଙ୍କ ପରିବାରର କେତେକ ସଦସ୍ୟଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। ଭାରତ ପେ ଅଶ୍ନିର ଓ ତାଙ୍କ ପରିବାର ବିରୋଧରେ ୮୦ କୋଟି ଟଙ୍କାର ହେରଫେର ଅଭିଯୋଗ କରିଥିଲା।

{"id":796371,"width":840,"height":503,"sizeSlug":"full","linkDestination":"none"}

ଏ ନେଇ କମ୍ପାନୀ ପକ୍ଷରୁ ରୁଜୁ ଏତଲାରେ ଦୀପକ ଗୁପ୍ତା, ସୁରୋଶ ଜୈନ ଓ ଶ୍ୱେତାଙ୍କ ଜୈନଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ଆର୍ଥିକ ଅପରାଧ ଶାଖା ଆଇପିସିର ଧାରା ୪୨୦, ୪୬୭ ଓ ୪୬୦ ସମେତ ମୋଟ ୮ଟି ଧାରାରେ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  ଏହି ସବୁ ଧାରାରେ ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ୧୦ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ହୋଇପାରେ।

ଶାର୍କ ଟ୍ୟାଙ୍କ ଇଣ୍ଡିଆର ପୂର୍ବତନ ଜଜ୍ ଅଶ୍ନିର ଗ୍ରୋଭର ଓ ଭାରତ ପେ ଦୀର୍ଘ ସମୟରୁ ପରସ୍ପର ଉପରେ ଅଭିଯୋଗ ଓ ପ୍ରତିଅଭିଯୋଗ କରୁଛନ୍ତି। ଏହା ପରେ କୋର୍ଟ ଉଭୟ ପକ୍ଷଙ୍କୁ ମାମଲାରେ ସଞ୍ଜମତା ଆଚରଣ କରିବାକୁ ପରାମର୍ଶ ଦେଇଥିଲେ ଓ ସୋସିଆଲ ମିଡିଆରେ କୌଣସି ପ୍ରକାର ବୟାନବାଜୀରୁ ବର୍ତ୍ତିବା ଲାଗି କହିଥିଲେ। ଏଥିରେ ଯାଞ୍ଚ ଉପରେ ରୋକ ଲଗାଇବା ପାଇଁ ସେମାନଙ୍କ ନିବେଦନକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ସେମାନଙ୍କ ସମସ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.