ନୂଆଦିଲ୍ଲୀ ୦୮/୦୫: କରୋନା ଟିକା କୋଭିସିଲ୍ଡକୁ ନେଇ ଥମୁନି ବିବାଦ । ଟିକା ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ପ୍ରମାଣିତ ହୋଇସାରିଲାଣି । ଏହି ଟିକାରେ ବିରଳ ପାର୍ଶ୍ୱପ୍ରତିକ୍ରିୟା ଥିବା କମ୍ପାନୀ ସ୍ୱୀକାର କରି ସାରିଥିବା ବେଳେ ଏବେ ଏହାର ଉତ୍ପାଦକୁ ବିଶ୍ୱ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ ।
କୋଭିଶିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଥିବାବେଳେ କମ୍ପାନୀ ପକ୍ଷରୁ କିନ୍ତୁ ତେବେ ଉତ୍ପାଦ ଫେରାଇ ନେବା ପଛର କାରଣ କିନ୍ତୁ କିଛି ଅଲଗା ବୋଲି କୁହାଯାଇଛି । କମ୍ପାନୀ ପ୍ରବକ୍ତା କହିଛନ୍ତି, ମାର୍କେଟରେ ଆବଶ୍ୟକତାଠୁ ଅଧିକ ମାତ୍ରାରେ କୋଭିଶିଲ୍ଡ ଟିକା ମହଜୁଦ ରହିଛି ।
ଏଥିସହ ଆହୁରି ବହୁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କର କୋଭିଡ ଟିକା ବି ବଜାରରେ ଉପଲବ୍ଧ ରହୁଛି । ମାତ୍ର ଏବେ ଏହି ଟିକାର ସେପରି ଆବଶ୍ୟକତା ନ ଥିବାରୁ ତାହା ମାର୍କେଟରେ ପଡ଼ି ରହିଛି । ତେଣୁ କମ୍ପାନୀ ଏହାକୁ ଫେରାଇ ନେବାକୁ ସ୍ଥିର କରିଛି । ପୂର୍ବରୁ ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସ୍ୱୀକାର କରି ସାରିଛି ଯେ, କୋଭିସିଲ୍ଡ ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି ।
ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲଡ ପ୍ଲେଟଲେଟ କାଉଣ୍ଟ କମିଯାଇପାରେ ବୋଲି ଇଂଲଣ୍ଡ କୋର୍ଟଙ୍କୁ ଟିକା ପ୍ରସ୍ତୁତକାରୀ କମ୍ପାନି ଆଷ୍ଟ୍ରାଜେନେକା ଜଣାଇ ସାରିଛି । କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା। ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କମ୍ପାନି ଟିକା ଉତ୍ପାଦନ କରିଥିଲା। ଭାରତରେ ମଧ୍ୟ କୋଟି କୋଟି ଲୋକ ଏହି ଟିକା ନେଇଛନ୍ତି ।
ଏଥିପାଇଁ କମ୍ପାନୀ ପକ୍ଷରୁ ମାର୍ଚ୍ଚ ୫ ତାରିଖରେ ଆବେଦନ ହୋଇଥିବା ବେଳେ ଦୁଇ ମାସ ପରେ ଅର୍ଥାତ ଏପ୍ରିଲ ୭ ତାରିଖରେ ଏହା ସାମନାକୁ ଆସିଛି। ଆଷ୍ଟ୍ରାଜେନେକା ସ୍ୱଇଚ୍ଛାରେ ୟୁରୋପୀୟ ସଂଘରୁ ନିଜ ବ୍ୟବସାୟକୁ ପ୍ରତ୍ୟାହାର କରିଛି। କେବଳ ୟୁରୋପୀୟ ଦେଶ ନୁହେଁ ବିଶ୍ୱର ଅନ୍ୟ ବହୁ ଦେଶରୁ ବି କମ୍ପାନୀ ନିଜ ଉତ୍ପାଦକୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଛି।