କାନବେରା: ନାବଳକ ଓ ନାବାଳିକାଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ୍ ମିଡିଆ। ଫେସ୍ବୁକ୍, ଇନଷ୍ଟାଗ୍ରାମ,ଟିକଟକ ଭଳି ସୋସିଆଲ୍ ମିଡିଆ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା। ଏନେଇ ଖୁବ୍ଶୀଘ୍ର ନିୟମ ଆଣିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ସରକାର। ଏନେଇ ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନୀ ଗଣମାଧ୍ଯମରେ ସୂଚନା ଦେଇଛନ୍ତି।
ଅଲବାନୀ କହିଛନ୍ତି “ ସୋସିଆଲ୍ ମିଡିଆ ଆମ ପିଲାମାନଙ୍କୁ କ୍ଷତି ପହଞ୍ଚାଉଛି। ତେଣୁ ମୁଁ ଏଥିରେ ରୋକ୍ ଲଗାଇବାକୁ ଚାହୁଁଛି।”ଏ ନେଇ ଚଳିତ ବର୍ଷ ସଂସଦରେ ଏକ ବିଲ୍ ଆଗତ ହେବ। ସାଂସଦଙ୍କ ଦ୍ୱାରା ବିଲ୍ ପାସ୍ ହେବାର ୧୨ ମାସ ପରେ ନୂଆ ଆଇନ ଲାଗୁ ହେବ। ତେବେ ବାପାମାଆଙ୍କ ଅନୁମତିରେ ବି ଛୋଟ ପିଲା ସୋସିଆଲ୍ ମିଡିଆ ବ୍ୟବହାର କରିପାରିବେ ନାହିଁ, କି ଏନେଇ କୌଣସି କୋହଳ କରାଯିବ ନାହିଁ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି।
ସୋସିଆଲ୍ ମିଡିଆ କମ୍ପାନୀମାନେ ମଧ୍ଯ ଏହି ଦାୟିତ୍ୱ ନିର୍ବାହ କରିବେ।ବ୍ଯାନ ହୋଇଥିବା ବୟସ ବର୍ଗଙ୍କୁ ସୋସିଆଲ୍ ମିଡିଆ ଆକସେସକୁ ରୋକିବା ସେମାନଙ୍କର କର୍ତ୍ତବ୍ଯ ପରିସରରେ ଆସିବ। ତେବେ ଅଭିଭାବକ ଓ ଅନ୍ଯ ଯୁବବର୍ଗଙ୍କ ଉପରେ ଏହି ଦାୟିତ୍ୱ ରହିବ ନାହିଁ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିପରି ଯୋଗାଯୋଗ ମନ୍ତ୍ରୀ ମିସେଲ ରୋଲ୍ୟାଣ୍ଡ କହିଛନ୍ତି ଯେ ଇନଷ୍ଟାଗ୍ରାମ ଏବଂ ଫେସବୁକ ସମେତ ଟିକଟକ, ଏକ୍ସ(ଟ୍ୱିଟର), ୟୁଟ୍ୟୁବ୍ ଏହି ଆଇନ ପରିସର ଆସିବେ। ତେବେ ପ୍ରଭାବିତ ହେଉଥିବା କମ୍ପାନୀ ପକ୍ଷରୁ ଅଷ୍ଟ୍ରେଲିଆ ସରକାରଙ୍କ ନିୟମକୁ ନେଇ କୌଣସି ରାୟ ଆସିପାରି ନାହିଁ।
କେବଳ ଅଷ୍ଟ୍ରେଲିଆ ନୁହେଁ, ବିଶ୍ୱର ଅନ୍ଯ ଦେଶଗୁଡ଼ିକ ମଧ୍ଯ ଆଇନ ବଳରେ ନାବଳକଙ୍କର ସୋସିଆଲ୍ ମିଡିଆ ବ୍ଯବହାର ଉପରେ ବ୍ଯାନ୍ ଲଗାଇବାକୁ ଚିନ୍ତା କରୁଛନ୍ତି। ଗତବର୍ଷ ଫ୍ରାନ୍ସ ସରକାର ମଧ୍ଯ ୧୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ସୋସିଆଲ ମଡିଆ ବ୍ୟାନ୍ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଅଭିଭାବକଙ୍କ ଅନୁମତି ନେଇ ସୋସିଆଲ୍ ମିଡିଆ ବ୍ୟବହାର ପରେ ଫ୍ରାନ୍ସ ସରକାରଙ୍କ ଏହି ନିଷ୍ପତ୍ତି ଫିକା ପଡ଼ିଥିଲା।
୧୦ ବର୍ଷରୁ ଉର୍ଦ୍ଧ ହେବ ଆମେରିକାରେ ଏନେଇ ନିୟମ ଜାରି ରହିଛି। ୧୩ ବର୍ଷର କମ ବୟସର ପିଲାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାର ପାଇଁ କମ୍ପାନୀଗୁଡ଼ିକୁ ଅଭିଭାବକଙ୍କ ଅନୁମତି ନେବା ଆବଶ୍ୟକ ରହିଛି ବୋଲି ନିୟମ କରାଯାଇଛି। ଫଳରେ ସୋସିଆଲ୍ ମିଡିଆ କମ୍ପାନୀଗୁ଼ଡ଼କ ୧୩ ବର୍ଷର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ କରିଛନ୍ତି।