ମାଲକାନଗିରି ୬/୧: ଗୁଣି ସନ୍ଦେହ । ଗାଁରେ ବୁଲିଛି ଖଟ । ଜଣେ ବୃଦ୍ଧାଙ୍କ ପାଖରେ ଖଟ ଅଟକିବା ପରେ ତାଙ୍କୁ ଡାହାଣି ଆଖ୍ୟା ଦେଇ ଗାଁରୁ ବାହାର କରିବାକୁ ସଭା ବସିଥିଲା । ଏତିକି ବେଳେ ପୋଲିସ ପହଞ୍ଚି ସବୁ ଭଣ୍ଡୁର କରିଦେଇଛି । ଛତିଶଗଡରୁ ଆସିଥିବା ୬ ଜଣ ପୂଜକଙ୍କୁ ବାନ୍ଧିଛି ପୋଲିସ । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗାଁରୁ ଆସିଛି ଅନ୍ଧବିଶ୍ବାସର ଖବର ।
ଚିତାପାରୀ-୪ ଗାଁରେ ଏକ ଆଦିବାସୀ ପର୍ବ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଅନୁମତି ଦେଇଥିଲା । ତେବେ ପୂଜା ନାଁରେ ଗାଁରେ ଗୁଣି ଗାରେଡି ଚାଲିଥିବା ନେଇ କିଛି ଲୋକ ଥାନାକୁ ଖବର ଦେଇଥିଲେ। ଖବର ପାଇ ଓର୍କେଲ ଥାନା ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାହା ଦେଖିଲା ତାଜୁବ ହୋଇଗଲା ।
ଠାକୁରଙ୍କ ଏକ ଖଟୁଲି ଧରି କିଛି ଲୋକେ ଗାଁର ସମସ୍ତଙ୍କ ଘର ବୁଲୁଥିଲେ । ଏତିକିରେ ସରିନଥିଲା ଅନ୍ଧବିଶ୍ବାସର ଏ ଖେଳ । ପୁଜା ହେଉଥିବା ସ୍ଥାନରେ ଶହ ଶହ ଲୋକଙ୍କୁ ଲମ୍ବା ଧାଡିରେ ବସାଇ ସେମାନଙ୍କ ମୁଣ୍ଡ ଉପରେ ମଧ୍ୟ ବୁଲିଥିଲା ଗୁଣିଆ ଖଟ । ଗାଁର ୬୭
ବର୍ଷୀୟା ବୃଦ୍ଧ ବତୀ ଖିଲଙ୍କ ପାଖରେ ଖଟ ଅଟକିବା ପରେ ତାଙ୍କୁ ଡାହାଣି ଆଖ୍ୟା ଦେଇ ଗାଁରୁ ବାହାର କରିବାକୁ ସଭା ବସିଥିଲା ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ଛତିଶଗଡର ୬ ଜଣ ପୂଜାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦାମୀ କାର ଓ କଟୁରି ଜବତ କରିଛି । ବ୍ଲାକ ମ୍ୟାଜିକର ବିଭିନ୍ନ ଦଫା ଲଗାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରିଛି ଓର୍କେଲା ଥାନା ପୋଲିସ । ଗିରଫ ୬ ଜଣ ଟିକେନ୍ଦ୍ର ଦେହାରି, ଖିରେନ୍ଦ୍ର କୁମାର ନାଗ, ରାମୁ ମାଣ୍ଡାଭି, ଜଗନ୍ନାଥ ନାଗ, କମୁଳୁରାମ ନାଗ ଓ ମଙ୍ଗଟୁରାମ ବାଗେଲ ।