ଓ୍ବାକଫ୍ ସଂଶୋଧନ ବିଧେୟକକୁ କ୍ୟାବିନେଟ୍ ମଞ୍ଜୁରି; ସଂସଦର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ହେବ ଆଗତ

Published By : Prameya-News7 Bureau | February 27, 2025 IST

ନୂଆଦିଲ୍ଲୀ: ଓ୍ବାକଫ୍ ସଂଶୋଧନ ବିଧେୟକକୁ କ୍ୟାବିନେଟ୍ ମଞ୍ଜୁରି । ଗୁରୁବାର ଏହି ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି । ଜେପିସି ରିପୋର୍ଟ ଆଧାରରେ ଏହାକୁ ସବୁଜ ସଙ୍କେତ ମିଳିଛି । ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଏହାକୁ ସଂସଦରେ ଆଗତ କରାଯିବ । 

ସୂଚନା ଅନୁଯାୟୀ, ଫେବ୍ରୁଆରୀ ୧୯ ତାରିଖରେ ବସିଥିବା କ୍ୟାବିନେଟ୍ ବୈଠକରେ ଓ୍ବାକଫ୍ ବିଲ୍ ଉପରେ କିଛି ସଂଶୋଧନ ପାଇଁ ମଞ୍ଜୁରି ପ୍ରଦାନ କରାଯାଇଥିଲା । ଏଥିରେ ସଂଶୋଧନ ପରେ ବିଧେୟକକୁ ପୁଣି ଥରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଓ୍ବାକଫ୍ ବିଲ୍ ପ୍ରଥମ ଥର ପାଇଁ ଗତ ବର୍ଷ ଅଗଷ୍ଟ ମାସରେ ସଂସଦରେ ଆଗତ କରାଯାଇଥିଲା । ମାତ୍ର ବିରୋଧୀଙ୍କ ଜୋରଦାର ବିରୋଧ ପ୍ରଦର୍ଶନ ପାଇଁ ଏହାକୁ ସଂସଦୀୟ କମିଟିକୁ ପଠାଯାଇଥିଲା । ଜଗଦମ୍ବିକା କମିଟି ଏହା ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ସହ ସଂଶୋଧନ କରିବା ପରେ ଏହି ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ଜେପିସି ରିପୋର୍ଟ ଆଧାରରେ ଓ୍ବାକଫ୍ ବିଲ୍‌ର ନୂଆ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଏହାକୁ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ୍ ୪ ମଧ୍ୟରେ ସଂସଦ ଉପସ୍ଥାପନ କରାଯିବ । ଅନ୍ୟପଟେ ଓ୍ବାକଫ୍ ବିଲ୍‌କୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ହୋଇଥିଲା । ରାଜ୍ୟସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ ଜେପିସି ରିପୋର୍ଟକୁ ଫର୍ଜି ବୋଲି କହିଥିଲେ । 

ସୂଚନା ଅନୁଯାୟୀ, ସଂସଦୀୟ କମିଟି ଓ୍ବାକଫ୍ ବିଲ୍ ସଂଶୋଧନକୁ ଜାନୁଆରୀ ୨୯ରେ ସବୁଜ ସଙ୍କେତ ଦେଇଥିଲା । ଏଥିରେ ୧୫ ଭୋଟ୍ ସପକ୍ଷରେ ଏବଂ ୧୪ ଭୋଟ୍ ବିପକ୍ଷରେ ପଡ଼ିଥିଲା । ବିଧେୟକ ଉପରେ ବିଜେପି ସାଂସଦ ଦେଇଥିବା ସଂଶୋଧନକୁ ସାମିଲ କରାଯାଇଛି । ସେପଟେ ବିରୋଧୀ କହିଛନ୍ତି, ଓ୍ବାକଫ୍ ବୋର୍ଡକୁ ଅନ୍ତ କରିବା ପାଇଁ ବିଜେପିର ଏହା ଏକ ପ୍ଲାନ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.