ଚୀନ୍‌ର ଶସ୍ତା ଷ୍ଟିଲ୍‌ ଯୋଗୁ ଘରୋଇ କମ୍ପାନିଙ୍କୁ ଘାଟା, ୫ ବର୍ଷ ପର୍ଯ୍ୟନ୍ତ ଆଣ୍ଟିଡମ୍ପିଂ ଶୁଳ୍କ ଲାଗୁ

Published By : Prameya-News7 Bureau | September 13, 2023 IST

ନୂଆଦିଲ୍ଲୀ ୧୩/୦୯: ଚୀନ୍‌ରୁ ଆମଦାନି ହେଉଥିବା ଇସ୍ପାତ ଉପରେ ଭାରତ ଆଣ୍ଟି ଡମ୍ପିଂ ଶୁଳ୍କ ଲଗାଇଛି । ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଟ୍ରେଡ୍‌ ରିମେଡିଜ୍‌(ଡିଜିଟିଆର୍‌) ସରକାରଙ୍କ ନିକଟରେ ଟନ୍‌ ପିଛା ଚୀନି ଷ୍ଟିଲ୍‌ ହ୍ୱିଲ୍ସ ଉପରେ ୬୧୩ ଡଲାର (ପ୍ରାୟ ୫୦,୮୬୭ ଟଙ୍କା)ର ଶୁଳ୍କ ଲାଗୁ କରିବା ପାଇଁ ସୁପାରିସ କରିଥିଲା ।

ଅର୍ଥ ମନ୍ତ୍ରାଳୟ ସୋମବାର ଏକ ବିଜ୍ଞପ୍ତି ଜାରି କରି ଉପରୋକ୍ତ ସୂଚନା ପ୍ରଦାନ କରିଛି । ସରକାରଙ୍କ ଏ ନିଷ୍ପତ୍ତି ଦ୍ୱାରା ଘରୋଇ କମ୍ପାନିଗୁଡ଼ିକ ଉପକୃତ ହେବେ । ଚୀନ୍‌ର ଶସ୍ତା ଷ୍ଟିଲ୍‌ ଯୋଗୁ ଘରୋଇ କମ୍ପାନିଗୁଡ଼ିକ ପ୍ରବଳ କ୍ଷତି ସହି ଆସୁଥିଲେ । ଏ ନିଷ୍ପତ୍ତି ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ଆଣ୍ଟି-ଡମ୍ପିଂ ଶୁଳ୍କ ଲଗାଇବାର ଏ ନିଷ୍ପତ୍ତି ଉପରେ ଅର୍ଥ ମନ୍ତ୍ରାଳୟ ପ୍ରକାଶ କରିଛି ଯେ, ଚୀନ୍‌ ଅନେକ ଦିନରୁ ଡମ୍ପିଂ ପ୍ରାଇସ୍‌ ବା ଖର୍ଚ୍ଚଠାରୁ କମ୍‌ ମୂଲ୍ୟରେ ଭାରତକୁ ଷ୍ଟିଲ୍‌ ବିକ୍ରି କରିଆସୁଥିଲା । ଚଳିତ ମାସ ୪ ତାରିଖରେ ଇସ୍ପାତ ସଚିବ ନରେନ୍ଦ୍ର ନାଥ ସିଂହ କହିଥିଲେ ଯେ, ଭାରତ ଚୀନ୍‌ର ଷ୍ଟିଲ୍‌ ଡମ୍ପିଂ ଉପରେ ଅନେକ ଦିନରୁ ନଜର ରଖିଥିଲା ।

ଏପ୍ରିଲ-ଜୁଲାଇ ତ୍ରୟମାସରେ ଦକ୍ଷିଣ କୋରିଆ ପରେ ଭାରତର ଦ୍ୱିତୀୟ ବୃହତ୍‌ ଇସ୍ପାତ ଯୋଗାଣକାରୀ ପାଲଟିଛି ଚୀନ୍‌ । ଚୀନ୍‌ ଏ ସମୟରେ ଭାରତକୁ ୬ ଲକ୍ଷ ଟନ୍‌ ଇସ୍ପାତ ବିକ୍ରି କରିଛି । ଏହା ଗତବର୍ଷ ତୁଳନାରେ ୬୨% ଅଧିକ । ଆଲୋଚ୍ୟ ସମୟରେ ଭାରତ ଚୀନ୍‌ରୁ ୨୦ ଲକ୍ଷ ଟନ୍‌ ଫିନିସ୍‌ଡ ଷ୍ଟିଲ୍‌ ଆମଦାନି କରିଛି । ଏହା ୨୦୨୦ ପରେ ସବୁଠାରୁ ଅଧିକ ଏବଂ ଗତବର୍ଷ ତୁଳନାରେ ୨୩% ଅଧିକ ।

wp:embed {"url":"https://www.prameyanews7.com/apple-iphone-15-series-launched-check-all-models-india-price/","type":"wp-embed","providerNameSlug":"prameya-news-7"}
https://www.prameyanews7.com/apple-iphone-15-series-launched-check-all-models-india-price/
/wp:embed

ସୂଚନାଯୋଗ୍ୟ, କୌଣସି ଦେଶ ଏକ ପ୍ରଡକ୍ଟକୁ ଉକ୍ତ ଦେଶର ଘରୋଇ ବଜାରରୁ କମ୍‌ ଦରରେ ବିକ୍ରି କରୁଥିଲେ ତାହାକୁ ଡମ୍ପିଂ କୁହାଯାଇଥାଏ । ଉଦାହରଣସ୍ୱରୂପ, ଯଦି ଭାରତରେ ଷ୍ଟିଲ୍‌ ଦାମ ଟନ୍‌ ପିଛା ୬୦,୦୦୦ ଟଙ୍କା ରହିଛି କିନ୍ତୁ ଅଧିକ ଆବଶ୍ୟକତା ଯୋଗୁ ଚୀନ୍‌ରୁ ଷ୍ଟିଲ୍‌ ଆମଦାନି କରାଯାଉଛି ଏବଂ ଚୀନ୍‌ ଏହାକୁ ଟନ୍‌ ପିଛା ୩୦,୦୦୦ ଟଙ୍କାରେ ଦେଉଛି ତା’ହେଲେ ଉକ୍ତ କ୍ଷେତ୍ରରେ କୁହାଯିବ ଯେ, ଚୀନ୍‌ ଏହାର ଷ୍ଟିଲ୍‌କୁ ଭାରତରେ ଡମ୍ପ କରୁଛି ।

ଏହାର ବଡ଼ ଉଦାହରଣ ହେଉଛି ଚୀନ୍‌ର ଲାଇଟ୍‌ ଏବଂ ଖେଳନା । କମ୍‌ ମୂଲ୍ୟରେ ସାମଗ୍ରୀ ଯୋଗାଇ ଚୀନ୍‌ ଭାରତରେ ଘରୋଇ କମ୍ପାନିଗୁଡ଼ିକୁ କ୍ଷତି ପହଞ୍ଚାଉଛି । ଡମ୍ପିଂ ଯୋଗୁ ଏକ ଦେଶକୁ ବିଦେଶୀ ଉତ୍ପାଦ ଶସ୍ତାରେ ମିଳିଯିବ କିନ୍ତୁ ଏହାଦ୍ୱାରା ଉକ୍ତ ଦେଶର ଘରୋଇ କମ୍ପାନିଙ୍କ ଉତ୍ପାଦ ସେହି ଦରରେ ବିକ୍ରି ହୋଇପାରିବ ନାହିଁ କାରଣ ଏଥିରେ ଅଧିକ ଖର୍ଚ୍ଚ ହୋଇଥାଏ । ଫଳରେ ଘରୋଇ ଉତ୍ପାଦଗୁଡ଼ିକର ଚାହିଦା କମିଯିବ ଏବଂ କମ୍ପାନିଗୁଡ଼ିକ ବନ୍ଦ ବି ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.