ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ନିମ୍ନମୁଖୀ ଧାରା ଜାରି ରହିଛି । ସେନ୍ସେକ୍ସ ଏବଂ ନିଫ୍ଟି ଲଗାତାର ୫ମ ଦିନରେ ଲାଲ୍ ସଂକେତରେ ବନ୍ଦ ହୋଇଛି । ଫେବ୍ରୁଆରୀ ୨୪ ସୁଦ୍ଧା ସେନ୍ସେକ୍ସ ଏବଂ ନିଫ୍ଟି ପ୍ରାୟ ୪ ପ୍ରତଶିତ ତଳକୁ ଖସି ସାରିଛି । କ୍ଷୁଦ୍ର ଏବଂ ମଧ୍ୟମ ଧରଣର ସେୟାରରେ ବି ଅଧିକ ବିକ୍ରି ଦେଖିବାକୁ ମିଳିଛି । ବିଏସ୍ଇ ମିଡ୍କ୍ୟାପ୍ ଇଣ୍ଡେକ୍ସ ୦.୭୮ ଏବଂ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୧.୩୧ ପ୍ରତଶିତ ହ୍ରାସ ପାଇ ବନ୍ଦ ହୋଇଛି । ଏହି କାରଣରୁ ନିବେଶକଙ୍କ ସମ୍ପତ୍ତି ଆଜି ପ୍ରାୟ ୪.୨୨ ଲକ୍ଷ କୋଟି ଟଙ୍କା ବୁଡ଼ିଛି । ଅଟୋ ଏବଂ ଏଫଏମସିଜି ଇଣ୍ଡେକ୍ସକୁ ଛାଡ଼ି ଅନ୍ୟ ସବୁ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି ।
ଦିନର କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୮୫୬.୬୬ ଅଙ୍କ ବା ୧.୧୪ ପ୍ରତିଶତ ହ୍ରାସ ସହ ୭୪,୪୫୪.୪୧ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୨୪୩.୪୦ ଅଙ୍କ ବା ୧.୦୭ ପ୍ରତିଶତ ଖସି ୨୨,୫୫୨.୫୦ ସ୍ତରରେ ବନ୍ଦ ହୋଇଛି ।
ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ଫେବ୍ରୁଆରୀ ୨୪ରେ ହ୍ରାସ ପାଇ ୩୯୭.୯୮ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଶୁକ୍ରବାର ଫେବ୍ରୁଆରୀ ୨୧ରେ ୪୦୨.୨୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୪.୨୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ୪.୨୨ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବିଏସଇ ସେନ୍ସେକ୍ସର ୩୦ ସେୟାର ମଧ୍ୟରୁ କେବଳ ୯ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି ।