କଟକ: ସରିଛି ବିଶ୍ବର ସବୁଠୁ ବଡ଼ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା। ୯ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମେଳାରେ ଅନେକ କାର୍ଯ୍ୟକ୍ରମ ଦେଖିବାକୁ ପାଇଥିଲେ ଅଗଣିତ ଲୋକେ। ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା ମେଳାର ମଞ୍ଚରେ।
ଏମିତିରେ ବାଲିଯାତ୍ରା ଭଳି ବିଶାଳ ପ୍ଲାଟଫର୍ମକୁ ସାଇବର ସଚେତନତା, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଭଳି ପ୍ରସଙ୍ଗ ବାବଦରେ ସଚେତନତା ସୃଷ୍ଟି କରିଥିଲା କମିଶନରେଟ ପୋଲିସ। ସ୍ବତନ୍ତ୍ର ମଞ୍ଚ ଏବଂ ସ୍ବତନ୍ତ୍ର ଢଙ୍ଗରେ କମିଶନରେଟ ପୋଲିସ ଲୋକଙ୍କୁ କରିଥିଲା ସଜାଗ।
ପୋଲିସ ଅଧିକାରୀ, କର୍ମଚାରୀମାନେ ଏହି ମଞ୍ଚରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରି ଲୋକଙ୍କ ଭିତରେ ପୋଲିସ ପ୍ରତି ଥିବା ଭାବନାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବା ସହ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ।
ଗତ ଦୁଇ ବର୍ଷ ହେବ ବାଲିଯାତ୍ରାରେ ଏହି ମଞ୍ଚ ସଫଳତାର ସହ ସଚେତନତା ସୃଷ୍ଟି କରୁଥିବାବେଳେ ଆଗକୁ ଓଡ଼ିଶା ପୋଲିସ ଚାହିଁଲେ ବାଲିଯାତ୍ରା ଭଳି ବିରାଟ ପ୍ଲାଟଫର୍ମକୁ ସଚେତନତା ସୃଷ୍ଟି ପାଇଁ ବ୍ୟବହାର କରିପାରିବ ବୋଲି ମତ ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ଏହି ମଞ୍ଚରେ କମିଶନରେଟ ପୋଲିସର ଏସିପି କୃଷ୍ଣଚନ୍ଦ୍ର ସେଠୀ ଅତି ସୁନ୍ଦର ଭାବେ କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ଗୀତକୁ ଦର୍ଶକଙ୍କ ପରିବେଷଣ କରିଥିଲେ।