ଗୋଚ୍ଛାପଡ଼ା ଅଞ୍ଚଳରୁ ମୃତଦେହ ମିଳିବା ଘଟଣା, କ୍ରାଇମବ୍ରାଞ୍ଚ ଡିସିପି ମାମଲାର କରିବେ ତଦନ୍ତ

Published By : Prameya-News7 Bureau | October 05, 2024 IST

BREAKING NEWS

ଭୁବନେଶ୍ୱର ୦୫।୧୦ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳରୁ ମୃତଦେହ ମିଳିବା ଘଟଣା । ମାମଲାରେ ଆକ୍ସନକୁ ଆସିଲା କ୍ରାଇମବ୍ରାଞ୍ଚ । ଜଣେ କ୍ରାଇମବ୍ରାଞ୍ଚ ଡିସିପିଙ୍କୁ ତଦନ୍ତ ଭାର ଦେଲେ ଏଡିଜି କ୍ରାଇମବ୍ରାଞ୍ଚ । ଡିସିପି ରଜତ କୁମାର ରାୟ ମଧ୍ୟ ଘଟଣାର ତଦନ୍ତ କରିବେ। 

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡ଼ାର ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ଶନିବାର ଲୁଇସିଂ ପଞ୍ଚାୟତ ଡାଙ୍ଗାଣାମୁ ନିକଟ ରାସ୍ତାକଡ଼ରୁ ମିଳିଥିଲା । ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଥିଲା । ଏହାପରେ ତଦନ୍ତ କରି ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ରୋବେସନର୍‌ ଏସ୍‌ଆଇ ଅଜିତ କୁମାର ବେହେରା, ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି । ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏମାନଙ୍କ ବିରୋଧରେ ମୃତ ଜ୍ୟେଷ୍ଠଙ୍କ ସ୍ତ୍ରୀ ଅଭିଯୋଗ ଆଣିଥିଲେ । ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ପ୍ରକାଶ କରିଥିଲେ । ତେବେ ଜ୍ୟେଷ୍ଠ ବଣ୍ଡକିଙ୍କ ମୃତ୍ୟୁ ଘଟଣାରେ ଏସ୍‌ପି ପାତ୍ର ମଙ୍ଗଳବାର ଗୋଛାପଡ଼ା ଯାଇ ଘଟଣାର ଅଧିକ ତଦନ୍ତ କରିଛନ୍ତି । ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଅତିରିକ୍ତ ଏସ୍‌ପି ଦୀପ । ଘଟଣାରେ ପୁଲିସ ସମ୍ପୃକ୍ତି ନେଇ ଅଭିଯୋଗ ଥିବାରୁ ଏହାକୁ ଗୁରୁତ୍ୱର ସହ ନିଆଯାଇଛି। ଯଦି ଏଥିରେ କାହାର ସମ୍ପୃକ୍ତି ପ୍ରମାଣିତ ହୁଏ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଏସ୍‌ପି ଦୀପ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.