୫ ବର୍ଷ ପରେ ଆସିଲା ଚିଠି: ପୁଣିଥରେ କଟକ ପୂର୍ବତନ ବିଧାୟକ ଦେବାଶିଷଙ୍କ ଉପରେ ବର୍ଷିଲେ ଭାଇ ବୋହୂ

Published By : Prameya-News7 Bureau | May 17, 2023 IST

କଟକ: କଟକ ବାରବାଟିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଛନ୍ତି ତାଙ୍କ ଭାଇ ବୋହୂ ଶିଖା ସାମନ୍ତରାୟ। ପୂର୍ବତନ ବାଦାମ ବାଡ଼ି ଥାନା ଅଧିକାରୀ ବିରଞ୍ଚି ପତୀଙ୍କ ବିରୁଦ୍ଧରେ ବି ସାଂଘାତିକ ଅଭିଯୋଗ ଆଣିଛନ୍ତି ଶିଖା।

ଅଭିଯୋଗ ଅନୁସାରେ, ଗତ ୨୦୧୮ ମସିହା ମାର୍ଚ୍ଚ ମାସରେ ଘରୋଇ ବିବାଦକୁ ନେଇ ତତ୍କାଳୀନ ବାଦାମ ବାଡ଼ି ଥାନା ଅଧିକାରୀ ବିରଞ୍ଚି ପତି ଶିଖା ସାମନ୍ତରାୟଙ୍କ ଘରେ ପଶି ତାଙ୍କୁ ଅସଦ ବ୍ୟବହାର କରିବା ସହ ତାଙ୍କୁ ଘରୁ ବାହାରିଯିବାକୁ ଧମକ ଦେଇଥିଲେ।

ଏହାପରେ ଶିଖା ସାମନ୍ତରାୟ ପୁଲିସ୍ ବିରୁଦ୍ଧରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୌଣସି ପ୍ରକାରର ତାଙ୍କୁ ସହଯୋଗ ମିଳିନଥିଲା। ଦୀର୍ଘ ପାଞ୍ଚ ବର୍ଷ ଦୁଇମାସ ପରେ ଆଜି ମାନବାଧିକାର କମିଶନ ପକ୍ଷରୁ ଏକ ଚିଠି ଆସି ପହଞ୍ଚିଛି। ଯେଉଁଥିରେ ପୋଲିସକୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।  

ଏଥିରେ ଶିଖା ସାମସ୍ତରାୟ ପ୍ରତିକ୍ରିୟା ରଖି ସିଧାସଳଖ ଦେଢ଼ଶୁର ଦେବାଶିଷ ସାମନ୍ତରାୟ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଜାଣିଶୁଣି ଦେବାଶିଷ ନିଜର ରାଜନୈତିକ କ୍ଷମତାକୁ ବ୍ୟବହାର କରି ମାନବ ଅଧିକାର କମିଶନରେ ଏତେ ବର୍ଷ ଘୁଞ୍ଚାଇ ଦେଇଥିଲେ।

ଯେହେତୁ ଘଟଣା ଘଟିବାର ପାଞ୍ଚ ବର୍ଷ ବିତିଯାଇଛି ତେଣୁ ବର୍ତ୍ତମାନ ସାକ୍ଷ୍ୟ ପ୍ରମାଣ ନାହିଁ ତେଣୁ ତଦନ୍ତର କୌଣସି ମୂଲ୍ୟ ନାହିଁ। ଏମିତିକି ଏହାର ସୁଯୋଗ ନେଇ ଘଟଣାର ପୂର୍ଣ୍ଣଛେଦ ପକାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ଶିଖା ଅଭିଯୋଗ କରିଛନ୍ତି।

ପୁଲିସ ଉପରେ ମଧ୍ୟ ନିଜର ପ୍ରଭାବ ପକାଇ ସମସ୍ତ ଘଟଣାକୁ ନିଜ ପଟକୁ ନେଇ ଯାଇଥିବା ସହ ଜାଣିଶୁଣି ହଇରାଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଶିଖା ସାମନ୍ତରାୟ। ଏପରିକି ମାନବାଧିକାର କମିଶନଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଏହାସହ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ନିବେଦନ କରିଛନ୍ତି ଶିଖା।

wp:embed {"url":"https://youtu.be/TBfQOygjDFE","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/TBfQOygjDFE
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.