ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ନେଇ ଗୁରୁତ୍ବ, ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି

Published By : Prameya-News7 Bureau | June 16, 2024 IST

ପୁରୀ ୧୬।୬: ଜୁନ୍ ୨୨ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ହୋଇ ପାରିବ ସେ ନେଇ ବିଶେଷ ଗୁରୁତ୍ୱ ଦେଇଛି ପୁରୀ ପୋଲିସ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ତେବେ ରବିବାର ଦଇତାପତି ନିଯୋଗ ସହ ପୁରୀ ଏସପି ପିନାକ ମିଶ୍ର ସମସ୍ତ ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି । ପରିମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା ସହ ସ୍ନାନ ବେଦୀରେ ବିଶୃଙ୍ଖଳିତ ଆଚରଣକୁ ରୋକିବା ପାଇଁ ସିସିଟିଭି କ୍ୟାମେରା ଏବଂ ଟିଭିର ବ୍ୟବସ୍ଥା କରିବା ପାଇଁ ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । 

ବିଶେଷ କରି ମହାପ୍ରଭୁଙ୍କ ଜଳଲାଗି ଓ ହାତୀ ବେଶ ସମୟରେ କୌଣସି ସେବାୟତ ଯେଭଳି ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଛିଡା ହୋଇ ବାଧା ସୃଷ୍ଟି କରିବେ ନାହିଁ ଓ ହାତୀବେଶ ଅକ୍ଷୁର୍ଣ୍ଣ ରହିବ ସେ ଉପରେ ମଧ୍ୟ ଦଇତାପତି ନିଯୋଗ ଏସପିଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେଇଛନ୍ତି । ପୁରୀ ଏସପିଙ୍କ କନଫରେନ୍ସ ହଲ୍ ଠାରେ ଆୟୋଜିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସହ ନିଯୋଗର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ସ୍ନାନ ଯାତ୍ରା ଓ ରଥଯାତ୍ରା ଶୃଙ୍ଖଳିତ ହେବ ବୋଲି ଆଶା ରଖିଛନ୍ତି ଉଭୟ ସେବାୟତ ଓ ପୋଲିସ ପ୍ରଶାସନ। 

You Can Read :

ପରିତ୍ୟକ୍ତ କୂଅରୁ ମା’ ଓ ଛୁଆ ହାତୀ ଉଦ୍ଧାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.