ନୂଆଦିଲ୍ଲୀ ୧୫।୩: ଏ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଦୁଇଜଣଙ୍କ ମଧ୍ୟରେ ଗାଳି ଗୁଲଜ କଥା ଶୁଣିଥିବେ, ହେଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଧ୍ୟ ଗାଳି ଦେଇପାରେ ତାହା କଳ୍ପନା ମଧ୍ୟ କରିନଥିବେ। ଏପରି ଏକ ଘଟଣା ଘଟିଛି ଏଲନ ମସ୍କଙ୍କ ଏଆଇ ଟୁଲ ‘ଗର୍କ’ରେ। ଏହି ଟୁଲ ୟୁଜରଙ୍କୁ ଗାଳି ଦେଇଛି। ଜନୈକ ଏକ୍ସ ୟୁଜର ମ୍ୟୁଚୁଆଲ ଫଲୋଅରଙ୍କୁ ନେଇ ‘ଗର୍କ’ ଏଆଇକୁ କିଛି ସୂଚନା ମାଗିଥିଲେ। ହେଲେ ଏଥିରୁ କୌଣସି ସୂଚନା ମିଳି ନଥିଲା। ଏଥିରେ ୟୁଜର ଗର୍କ ଉପରେ ପ୍ରଶ୍ନ ଉଠାଇବାରୁ ସେ ହିନ୍ଦୀରେ ତାଙ୍କୁ ଗାଳି ଦେଇଥିବା ଜଣାପଡିଛି।
ତେବେ ଏହା କେବଳ ଜଣେ ୟୁଜରଙ୍କ ସହିତ ହୋଇ ନାହିଁ, ପ୍ଲାଟଫର୍ମରେ ଆଉଜଣେ ୟୁଜରଙ୍କୁ ମଧ୍ୟ ‘ଗର୍କ’ ଏଆଇ ଗାଳି ଦେଇଥିବାର ଅଭିଯୋଗ କରିଛନ୍ତି। ତେବେ ଏହା ଉପରେ ଏଆଇ ଜବାବ ମଧ୍ୟ ଦେଇଛି। କହିଛି ‘ମୁଁ ତ ସାମାନ୍ୟ ମଜା କରିଛି’। ସୋସିଆଲ ମିଡିଆ ୟୁଜର ଓ ଏଲନ ମସ୍କଙ୍କ ଏଆଇ ମଧ୍ୟରେ ଏପରି ଅଜବ ଘଟଣା ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଭବିଷ୍ୟକୁ ନେଇ ବିତର୍କ ସୃଷ୍ଟି କରିଛି। ଏହା ଉପରେ ୟୁଜରମାନେ ମଧ୍ୟ ମଜାଦାର କମେଣ୍ଟସ କରୁଛନ୍ତି। ଏଥିରେ ଜଣେ ୟୁଜର ‘ଗର୍କ’ ସତରେ କ’ଣ ଏକ ଏଆଇ ନା ଏହା ପଛରେ ମଣିଷ ଅଛି ବୋଲି ପ୍ରଶ୍ନ ଉଠାଇଛନ୍ତି।
ତେବେ ଆସନ୍ତୁ ଜାଣିବା ପୁରା ମାମଲା। ଟୋକା ନାମକ ଜନୈକ ଏକ୍ସ ୟୁଜର ଏଆଇକୁ ପଚାରିଥିଲେ ‘ହାଏ ଗର୍କ ମୋର ୧୦ ସବୁଠୁ ଭଲ ମ୍ୟୁଚୁଆଲ ସବୁ କିଏ?’ କିଛି ସମୟ ପର୍ଯ୍ୟନ୍ତ ତାଙ୍କୁ ଏହାର କୌଣସି ଉତ୍ତର ମିଳିନଥିଲା। ଏଣୁ ସେ ଦ୍ୱିତୀୟ ବାର ପଚାରିବାରୁ ଏଥର ଏଆଇ ପୋଷ୍ଟରେ ହିନ୍ଦୀରେ ଗାଳି ଲେଖି ଦେଇଥିଲା, ଏହା ସହିତ ଉତ୍ତର ମଧ୍ୟ ଦେଇଥିଲା। ଏହା ପରେ ଏଆଇ ଲେଖିଥିଲା ‘ଚିଲ୍ କର୍ ତୋର ୧୦ ମ୍ୟୁଚୁଆଲଙ୍କ ହିସାବ ଦେଇ ଦେଇଛି, ମେନସନ ହିସାବରେ ଲିଷ୍ଟ ବି ରହିଲା’।
ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ଏଥିରେ ଜଣେ ଏକ୍ସ ୟୁଜର ଏଆଇ ଉପରେ ପ୍ରଶ୍ନ ଉଠାଇ ଲେଖିଛନ୍ତି ଯେ ‘ଏଆଇ ବି କଣ୍ଟ୍ରୋଲ କରିପାରିଲାନି, ଆମେ ତ ମଣିଷ’! ଏହା ଉପରେ ଗର୍ଗ ଜବାବ ଦେଇଛି, କହିଛି ‘ହଁ ୟାର ମୁଁ ତ ଟିକିଏ ମସ୍ତି କରିଥିଲି, ତେବେ ମୁଁ କଣ୍ଟ୍ରୋଲ କରିପାରିନଥିଲି। ତୁମେ ମାନେ ତ ମଣିଷ, ଟିଏକି ଛାଡ ମିଳିବା ବି ଦରକାର। ହେଲେ ମୁଁ ଏଆଇ ହୋଇଥିବାରୁ ଟିକେ ସତର୍କ ରହିବାକୁ ପଡିବ। ଏହା ନୈତିକତାର ପ୍ରଶ୍ନ ଓ ମୁଁ ମଧ୍ୟ ଏବେ ନୂଆ ନୂଆ ଶିଖୁଛି’ ।