ନାଗପୁର ଦିନିକିଆ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ ଘୋଷଣା, ୧୫ ମାସ ପରେ ଫେରିଲେ ରୁଟ୍

Published By : Prameya-News7 Bureau | February 05, 2025 IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ନାଗପୁରରେ ଖେଳାଯିବ। ପ୍ରଥମ ଦିନିକିଆ ପାଇଁ ଇଂଲଣ୍ଡ ତାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଦଳର ତାରକା ବ୍ୟାଟର ଜୋ ରୁଟ୍‌ ୧୫ ମାସ ପରେ ଦିନିକିଆ ଦଳକୁ ଫେରିଛନ୍ତି। ସେ ଦିନିକିଆ ଫର୍ମାଟ୍‌ରେ ନିଜର ଶେଷ ଦିନିକିଆ ୨୦୨୩ ବିଶ୍ଵକପ୍‌ରେ ଖେଳିଥିଲେ। ଇଂଲଣ୍ଡ ଓ ଭାରତର ନଜର ଏହି ସିରିଜ୍ ଜରିଆରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରସ୍ତୁତି କରିବା।

ରୁଟ୍ ଇଂଲଣ୍ଡ ଟି-୨୦ ଦଳର ସଦସ୍ୟ ନ ଥିଲେ। ଜୋସ୍ ବଟଲରଙ୍କ ନେତୃତ୍ଵାଧୀନ ଇଂଲଣ୍ଡ  ଟି-୨୦ ସିରିଜ୍‌ରେ ଘରୋଇ ଭାରତଠୁ ୧-୪ରେ ପରାଜିତ ହୋଇଥିଲା। ଦିନିକିଆରେ ବି ବେନ ଡକେଟ୍ ଓ ଫିଲିପ୍ ସଲଟ୍ ଇନିଂସ ଓପନ କରିବେ। ରୁଟ୍ ନିଜର ପୁରୁଣା ତିନି ନମ୍ବରରେ ବ୍ୟାଟିଂ କରିବେ। ହ୍ୟାରି ବ୍ରୁକ ଚତୁର୍ଥ, ଅଧିନାୟକ ବଟଲର ପଞ୍ଚମ କ୍ରମରେ ବ୍ୟାଟିଂ କରିବେ। ଏହା ପରେ ଅଲରାଉଣ୍ଡର ଲିୟାମ ଲିଭିଙ୍ଗଷ୍ଟୋନ ଓ ଜ୍ୟାକବ ବେଥେଲ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିବେ। ଦ୍ରୁତ ବୋଲର ଭାବେ ଜୋଫ୍ରା ଆର୍ଚର, ବ୍ରାୟଡନ କର୍ସ ଓ ସାକିବ ମେହମୁଦଙ୍କୁ ଇଂଲଣ୍ଡ ଚୟନ କରିଛି। ସ୍ପିନର ଭାବେ ଅନୁଭବୀ ଆଦିଲ ରଶିଦଙ୍କୁ ସ୍ଥାନ ମିଳିଛି।

Also read: ଅବ୍ୟବସ୍ଥା ଭିତରେ ସରିଲା ବାରବାଟୀର ଟିକେଟ୍ ବିକ୍ରି, ନିରାଶ ହେଲେ ହଜାର ହଜାର କ୍ରିକେଟ୍ ପ୍ରେମୀ

ବଟଲର ମ୍ୟାଚ୍ ପୂର୍ବ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରୁଟ୍ ଏହି ଖେଳର ମହାନ ଖେଳାଳିଙ୍କ ମଧ୍ୟରୁ ଏକ ଏବଂ ସେ ସବୁ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଦୀର୍ଘ ସମୟରୁ ଇଂଲଣ୍ଡ ଦିନିକିଆ ଦଳର ମହତ୍ଵପୂର୍ଣ୍ଣ ଖେଳାଳି। ତାଙ୍କର ଦିନିକିଆ କ୍ରିକେଟ୍‌ରେ ଖେଳିବାର ବ୍ୟାପକ ଅନୁଭବ ରହିଛି, ଯାହାର ଫାଇଦା ଦଳରେ ଥିବା କମ ଅନୁଭବ ଖେଳାଳିଙ୍କୁ ମିଳିବ। ଆଶା କରୁଛି ସେ ଆଗାମୀ ମ୍ୟାଚ୍‌ରେ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। 

ପ୍ରଥମ ଦିନିକିଆ ପାଇଁ ଇଂଲଣ୍ଡର ଏକାଦଶ

ବେନ ଡକେଟ, ଫିଲିପ୍ ସଲ୍ଟ(ଓ୍ଵିକେଟ୍ କିପର), ଜୋ ରୁଟ୍, ହ୍ୟାରି ବ୍ରୁକ, ଜୋସ ବଟଲର, ଲିୟାମ ଲିଭିଙ୍ଗଷ୍ଟୋନ, ଜ୍ୟାକବ ବେଥେଲ, ବ୍ରାୟଡନ କର୍ସ, ଆଦିଲ ରଶିଦ, ଜୋଫ୍ରା ଆର୍ଚର, ସାକିବ ମେହମୁଦ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.