ଲଢ଼େଇ ହେବ ଜୋରଦାର୍ , ଏହି ସବୁ ଚର୍ଚ୍ଚିତ ଆସନରେ ମୁହାଁ ମୁହିଁ ହେବେ ଭେଟେରାନ ଆଉ ନବାଗତ

Published By : Prameya-News7 Bureau | April 02, 2024 IST

ଭୁବନେଶ୍ଵର:  ଆଜି ବିଜେପିର ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଅନେକ ସିଟ୍‌ରେ ଉଭୟ ବିଜେଡି ଓ ବିଜେପିର ବଡ଼ ନେତାଙ୍କ ଭିତରେ ବିଗ୍ ଫାଇଟ୍‌ର ସଂକେତ ସ୍ପଷ୍ଟ ହୋଇଛି । ଏସବୁ ଭିତରେ ଚର୍ଚ୍ଚିତ ଆସନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସିଟ୍ ରହିଛି ।

ଲଢ଼େଇ ହେବ ଜୋରଦାର୍ । ମୁହାଁ ମୁହିଁ ହେବେ ଭେଟେରାନ୍ ଆଉ ନବାଗତ । ଚର୍ଚ୍ଚିତ ବିଧାନସଭା ସିଟରେ  ସାମ୍ନାକୁ ଆସିଲେ ଯୋଦ୍ଧା । ରାଜ୍ୟର ସବୁଠୁ ବେଶୀ ଚର୍ଚ୍ଚିତ ଆଉ ନଜର ରହିଥିବା ବିଧାନସଭା ସିଟ ଭିତରେ ନମ୍ବର ୱାନ ହେଉଛି ହିଞ୍ଜିଳି ବିଧାନସଭା ଆସନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସିଟରୁ ଲଗାତାର ଜିତି ଆସୁଥିବା ବେଳେ ଏଥର ବି ବିଜେଡି ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିଦ୍ବନ୍ଦିତା କରିବାକୁ ଶିଶିର ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପି ସଙ୍ଗଠନରେ ଶିଶିର ମିଶ୍ରଙ୍କ ପରିବାର ବହୁତ ପୁରୁଣା । ଜିଲ୍ଲାରେ ଆଉ ବିଜେପିର ସାଙ୍ଗଠନିକ କାର୍ଯ୍ୟରେ ଶିଶିରଙ୍କୁ ସବୁବେଳେ ଦେଖିବାକୁ ମିଳୁଥିବା ବେଳେ ନୂଆ ପ୍ରାର୍ଥୀ ଭାବେ ବିଜେପି ହିଞ୍ଜିଳି ଆସନରୁ ତାଙ୍କ ନାଁ ଘୋଷଣା କରିଛି । ଚାନ୍ଦବାଲି ବିଧାନସଭା ସିଟରୁ ଏଥର ପୁଣି ପ୍ରତିଦ୍ବନ୍ଦିତା କରିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେପଟେ ଏହି ସିଟ ଲାଗି ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ରିପିଟ୍ କରିଛି ଦଳ । ୨୦୧୯ ଭଳି ୨୦୨୪ରେ  ମଧ୍ୟ   ପୁଣି ମନମୋହନ- ବ୍ୟୋମକେଶଙ୍କ ମଧ୍ୟରେ ହେବ ବିଗ୍ ଫାଇଟ୍ ।   

Also read:  ରୋଚକ ହେବ ବଲାଙ୍ଗୀର ବିଧାନସଭା ଆସନ, ବାପାଙ୍କ ଗଡରୁ ଲଢିବେ ପୁଅ

ନୂଆପଡା ଆସନରୁ ଲଢିବେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ଆସନରୁ ଗତ ଥର ଜିତିଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପୁଣି ପ୍ରାର୍ଥୀ ହୋଇଛନ୍ତି । ହେଲେ ବିଜେପି ଏଥର ପ୍ରାର୍ଥୀ ବଦଳାଇଛି କଳାହାଣ୍ଡି ସାଂସଦ  ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ କୁମାର ପଣ୍ଡାଙ୍କୁ ଦଳ ନୂଆ ପ୍ରାର୍ଥୀ ଭାବେ ଛିଡା କରିଛି । ଦୁଇ ଭେଟରାନଙ୍କ ସହ ବିଜେପିର ନବାଗତ ଯୁବ ପ୍ରାର୍ଥୀଙ୍କ ମୁକାବିଲାକୁ ନେଇ ଏଥର ନୂଆପଡା ରାଜନୀତିରେ ବି ହେବ ବିଗ୍ ଫାଇଟ୍ । ନୟାଗଡ ବିଧାନସଭା ସିଟରୁ ବିଜେଡିରୁ ଅରୁଣ ସାହୁ ଲଗାତାର ଜିତି ଆସୁଥିବାବେଳେ ବିଜେପି ତାର ପ୍ରାର୍ଥୀ ବଦଳାଇଛି ।  ପୂର୍ବତନ   ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏମିତିରେ ନୟାଗନରେ ଅରୁଣ ବନାମ ପ୍ରତ୍ୟୁଷା ବିଗ୍ ଫାଇଟ୍ ଦେଖିବାକୁ ମିଳିବ । 

ସେମିତି ରାଜ୍ୟ ରାଜନିତୀରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ପାଟକୁରା ନିର୍ବାଚନ ମଣ୍ଡଳୀ । ବରିଷ୍ଠ ନେତା ବିଜେୟ ମହାପାତ୍ରଙ୍କ ଏହି ସିଟରେ ଏଥର  ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଅରବିନ୍ଦଙ୍କୁ ଟକ୍କର ଦେବାକୁ   ତେଜେଶ୍ବର ପରିଡାଙ୍କୁ ମଇଦାନକୁ ଛାଡ଼ିଛି ବିଜେପି । ପାଟଣାଗଡରୁ  ପୂର୍ବତନ ମନ୍ତ୍ରୀ ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ପୁଣି ଭରସା କରିଛି ଦଳ । ଗତ ଥର ଏହି ସିଟରୁ ପ୍ରଥମେ ବିଜେଡିରୁ ଲଢି କେଭିଙ୍କୁ ହରାଇଥିବା ବିଜେଡି ପ୍ରାର୍ଥୀ ସରୋଜ ମେହେର ବି ଏଥର ମଇଦାନଙ୍କୁ ଓହ୍ଲାଇଥିବାରୁ ଦୁହିଁଙ୍କ  ଭିତରେ କଡା ଟକ୍କର ହେବ । 

ବଲାଙ୍ଗୀରରେ ଏଥର ମୁହାଁ ମୁହିଁ ହେବେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଏବଂ ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ।  ସେହିପରି ସଦ୍ୟବାଦୀରେ ବିଜେଡି ପ୍ରାର୍ଥୀ ଭାବେ ହେବିୱେଟ ନେତା ସଞ୍ଜୟ ଦାସବର୍ମା ଏବଂ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରିରୁ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କ ଭିତରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ ।  ବଡମ୍ବାରେ ବିଜେଡିର ହେବିଓ୍ଵେଟ୍  ଦେବୀ ପ୍ରସାଦ ମିଶ୍ରଙ୍କ ସହ ଲଢ଼ିବେ  ବିଜେପିର ନୂଆ ପ୍ରାର୍ଥୀ  ସମ୍ବିତ ତ୍ରୀପାଠି । ଆଠଗଡରୁ ଲଗାତାର ଜିତୁଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଫାଇଟ ଦେବା ଲାଗି ଅଭୟ ବାରିକଙ୍କୁ ମଇଦାନକୁ ଛାଡ଼ିଛି ବିଜେପି । 

ଚର୍ଚ୍ଚିତ ବିଧାନସଭା ସିଟ ପୁରୀରେ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ପୁଣି ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ଜିତରେ ବ୍ରେକ ଲଗାଇବାକୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଦିଗପହଣ୍ଡିରେ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଟକ୍କର ଦେବାକୁ  ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ମହାକାଳପଡାରୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡିର ପ୍ରାର୍ଥୀ ହୋଇଥିବାବେଳେ  ଦୁର୍ଗା ପ୍ରସନ୍ନ ନାୟକ ହୋଇଛନ୍ତି ବିଜେପି ପ୍ରାର୍ଥୀ । ଆଳିରୁ  ମନ୍ତ୍ରୀ ପ୍ରତାପ ଦେବଙ୍କୁ ବିଜେଡି ପୁଣି ଭରସା କରିଥିବାବେଳେ  ବିଜେପି କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ପ୍ରାର୍ଥୀ ଦେଇଛି । 

ବରଗଡର ଭଟଲିରେ ବିଜେଡିର ସୁଶାନ୍ତ ସିଂହଙ୍କ ସହ ବିଜେପିରୁ  ଇରାଶିଷ ଆଚାର୍ଯ୍ୟଙ୍କର ଲଢ଼େଇ ହେବ।  ଅତାବିରାରେ  ସେହ୍ନାଙ୍ଗିନି ଛୁରିଆଙ୍କ ସହ କଂଗ୍ରେସରୁ ମୁକାବିଲା କରୁଥିବା  ନିହାର ରଞ୍ଜନ ମହାନନ୍ଦ ଏଥର ବିଜେପି ମିଶି ପ୍ରାର୍ଥୀ ହୋଇଛନ୍ତି । କଳାହାଣ୍ଡି ଭବାନିପାଟଣାରେ ବିଜେପି ପ୍ରାର୍ଥୀ   ପ୍ରଦୀପ ନାଏକଙ୍କ ସହ ଫାଇଟ କରିବେ ବିଜେଡିର ଲତିକା ନାଏକ । ସୋନପୁରରେ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ସହ ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ରଙ୍କର ଲଢେଇ ହେବ । ବୌଦ୍ଧରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଟକ୍କର ଦେବାକୁ   ବିଜେପି ସରୋଜ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ନବ କୁମାର ମିଶ୍ରଙ୍କୁ ପ୍ରାର୍ଥୀ କରିଛି। 

ଗଞ୍ଜାମର ଭଞ୍ଜନଗର ବିଧାନସଭା କ୍ଷେତ୍ରରରେ  ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୁଣି, ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଜେପି ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ମଇଦାନକୁ ଛାଡିଛି ।  ଆଉ ପ୍ରଶାନ୍ତ ବିଶୋଇ ଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏହାକୁ ନେଇ ଜମିବ ଭଞ୍ଜନଗର ରାଜନିତୀ । ତେବେ ଦଳର ସେନାପତିଙ୍କୁ କ୍ଷେତ୍ରକୁ ଛାଡିଛନ୍ତି ହେଲେ କାହାକୁ ମିଳିବ ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ତାହା ଉପରେ ରହିବ ନଜର ।

 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.