ରାଉରକେଲା ୧/୩: ସକେଇ ସକେଇ କାନ୍ଦୁଛି କୁନି ଝିଅଟି । ଭୟ ଆଉ ଆଶଙ୍କାରେ ତା ଦେହ ଥରୁଛି । ନୀରିହ ଆଖି ଯେମିତି କାହାକୁ ଖୋଜୁଛି । ମାଆ କୋଳ ବଦଳରେ ରେଲୱେ ଷ୍ଟେସନରେ ଶିଶୁ କନ୍ୟା । ଅସହାୟ ଅବସ୍ଥାରେ କାନ୍ଦି କାନ୍ଦି ଥକି ପଡିଥିବା ଶିଶୁକନ୍ୟା ଉପରେ ନଜର ପଡିଥିଲା ସ୍ଥାନୀୟ ମହିଳାଙ୍କର । ରାଉରକେଲା ରେଲୱେ ଷ୍ଟେସନରୁ ଉଦ୍ଧାର ହୋଇଛି ଶିଶୁ କନ୍ୟା ।
ପ୍ରାୟ ୧୫ ଦିନରୁ ଅଧିକ ହେବ ଝିଅକୁ ବାସନ୍ତୀ କଲୋନୀ ସ୍ଥିତ ନିଜ ଘରକୁ ନେଇ ଆସିଥିଲେ ରତିନି । ଆଶା ଥିଲା କାଳେ ପରିବାର ଲୋକଙ୍କ ଖବର ମିଳିଯିବ । ହେଲେ କେହି ଆସିନଥିଲେ । ଏବେବି ଘର ଲୋକଙ୍କ ପାଇଁ ଯେମିତି ଅଲୋଡା ଓ ଅଖୋଜା ହୋଇପଡିଥିଲା ନିଷ୍ପାପ ଶିଶୁଟି । ଶେଷରେ ପିଲାଟିର ଥଇଥାନ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ଫର ଏଭରକୁ ଜଣାଇଥିଲେ । ଏବେ ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ।
ଶିଶୁଟିର ପରିଚୟ କଣ ? ତା ଘର କେଉଁଠି ? ଘରେ କେହି ଅଛନ୍ତି କି ନାହିଁ ? ଏସବୁର ଉତ୍ତର ଶିଶୁଟି ଦେଇପାରୁନି । କାହିଁକି ନା ସେ ଦିବ୍ୟାଙ୍ଗ । କଥା କହିପାରୁନି । ଏବେ ଶିଶୁ କନ୍ୟାର ପରିବାର ଲୋକଙ୍କୁ ଖୋଜିବା ଦାୟିତ୍ବ ରାଉରକେଲା ଜିଲ୍ଲା ପ୍ରଶାସନ ସହ ଶିଶୁ ସୁରକ୍ଷା ବିଭାଗର । ଯଦି ସେମାନଙ୍କର କୌଣସି ଖବର ମିଳିଲା ଶିଶୁ କନ୍ୟାକୁ ହସ୍ତାନ୍ତର କରାଯିବ । ନଚେତ ଶିଶୁ କନ୍ୟାର ସମସ୍ତ ଦାୟିତ୍ବ ବହନ କରିବ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ।
ରାଉରକେଲାର ଏ ଘଟଣା ପ୍ରଥମ ନୁହେଁ । ପ୍ରତିଦିନ ଶିଶୁ କନ୍ୟା ଅବହେଳିତ ହେବାର ଖବର ସାମ୍ନାକୁ ଆସୁଛି । କେଉଁଠି ବୁଦାମୂଳରୁ ଶିଶୁ କନ୍ୟା ଉଦ୍ଧାର ହେଉଛି ତ ଆଉ କେଉଁଠି ରାସ୍ତାରେ କଡରେ ଫିଙ୍ଗି ପଳାଉଛି ମାଆ । ଯେତେଯାଏ ଆମର ମାନସିକତାରେ ପରିବର୍ତ୍ତନ ଆସିନି କିଛି ବଦଳିବା ଅସମ୍ଭବ ।