ସେପ୍ଟେମ୍ବର ୧୩ରେ ଭଙ୍ଗ ହେବ ହରିୟାଣା ବିଧାନସଭା, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

Published By : Prameya-News7 Bureau | September 11, 2024 IST

ଚଣ୍ଡିଗଡ଼ ୧୧।୯: ହରିୟାଣାରେ ୫ ଅକ୍ଟୋବରରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଧାନସଭା ଭଙ୍ଗ କରିବା ପାଇଁ ବୁଧବାର କ୍ୟାବିନେଟର ମଞ୍ଜୁରୀ ମିଳିଯାଇଛି। ଏବେ କ୍ୟାବିନେଟ୍ ହରିୟାଣା ବିଧାନସଭା ଭଙ୍ଗ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିଛି। ମନ୍ତ୍ରୀମଣ୍ଡଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟଙ୍କୁ ଭେଟି ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଛନ୍ତି। ହରିୟାଣା କ୍ୟାବିନେଟ୍ ରାଜ୍ୟପାଳଙ୍କୁ ସେପ୍ଟେମ୍ବର ୧୩ରେ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଛି। 

ହରିୟାଣା ବିଧାନସଭାର ଶେଷ ଅଧିବେଶନ ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ସମ୍ବିଧାନ ଅନୁସାରେ ପ୍ରତି ୬ ମାସରେ ବିଧାନସଭା ଅଧିବେଶନ ଆୟୋଜନର ପ୍ରାବଧାନ ରହିଛି। ଏଣୁ ସେପ୍ଟେମ୍ବର ୧୨ ତାରିଖ ସୁଧା ବିଧାନସଭା ଅଧିବେଶନ ଅନୁଷ୍ଠିତ କରାଯିବା ବିଧେୟ। ଏଣୁ ସାମ୍ବିଧାନିକ ସଂକଟ ଟାଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭା ଭଙ୍ଗ ନିମନ୍ତେ ରାଜ୍ୟପାଳଙ୍କୁ ସୁପାରିଶ କରିବାକୁ ପଡିଥାଏ। ବିଧାନସଭାର ୨ଟି ଅଧିବେଶନ ମଧ୍ୟରେ ୬ ମାସରୁ ଅଧିକ ବ୍ୟବଧାନ ରହିବା ଉଚିତ ନୁହେଁ। 

ଉଲ୍ଲେଖଯୋଗ୍ୟ ଯେ ହରିୟାଣାର ୯୦ ବିଧାନସଭା ଆସନ ନିମନ୍ତେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏଥି ପାଇଁ ନିର୍ବାଚନ ଆୟୋଗ ପ୍ରଥମେ ଅକ୍ଟୋବର ୧ରେ ହରିୟାଣା ବିଧାନସଭା ନିର୍ବାଚନ ଘୋଷଣା କରିଥିଲେ। ତେବେ ପରେ ଆୟୋଗ ନିର୍ବାଚନ ତାରିଖ ବଦଳାଇ ୫ ଅକ୍ଟୋବର କରିଛନ୍ତି। ହରିୟାଣା ବିଧାନସଭାର କାର୍ଯ୍ୟକାଳ ୩ ନଭେମ୍ବର ୨୦୨୪ରେ ସମାପ୍ତ ହେବ। ଗତ ବିଧାନସଭା ନିର୍ବାଚନ ଅକ୍ଟୋବର ୨୦୧୯ରେ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.