ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ଆଲର୍ଟରେ ସଚିବାଳୟ

Published By : Prameya-News7 Bureau | June 15, 2024 IST

India Today

ନୂଆଦିଲ୍ଲୀ: ମଣିପୁରର ରାଜଧାନୀ ଇମ୍ଫାଲର ଓଲ୍ଡ ଲମ୍ବୁଲୈନ୍ ସ୍ଥିତ କଡ଼ା ସୁରକ୍ଷା ବଳୟରେ ଥିବା ସେକ୍ରେଟାରୀ କମ୍ପ୍ଲେକ୍ସ ନିକଟରେ ଏକ ଘରେ ନିଆଁ ଲାଗିଯାଇଥିଲା। ଯେଉଁ ଘରେ ଅଗ୍ନିକାଣ୍ଡ ଘଟିଥିଲା, ତାହା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସରକାରୀ ବଙ୍ଗଳାଠାରୁ ଅଳ୍ପ ଦୂରରେ।

ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ କହିଛି ଯେ ଏହି ଘର ଗୋଆର ପୂର୍ବତନ ମୁଖ୍ୟ ଶାସନ ସଚିବ ସ୍ୱର୍ଗତ ଥାଙ୍ଗଖୋପାଓ କିପଗେନଙ୍କର ଥିଲା। ପୋଲିସର ସୂଚନାନୁସାରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଯେଉଁ ଘରେ ଅଗ୍ନିକାଣ୍ଡ ଘଟିଥିଲା ସେହି ଘର କୁକି ଇନ୍ କମ୍ପ୍ଲେକ୍ସ ପାଖରେ ଅବସ୍ଥିତ, ଯାହାକି ଇମ୍ଫାଲର ବାବୁପାରାସ୍ଥିତ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ବାସଭବନର ବିପରୀତ। ପୋଲିସ କହିଛି ଯେ ମଣିପୁରରେ ଚାଲିଥିବା ହିଂସା ହେତୁ ସେହି ଘରର ଲୋକମାନେ ଚାଲିଯାଇଛନ୍ତି।

ଘରର ଛାତ ଟିଣରେ ତିଆରି ହୋଇଥିଲା, ଯେଉଁଥିପାଇଁ ନିଆଁ ଜୋରଦାର ହୋଇଥିଲା। ଏହି କାରଣରୁ ନିଆଁ ଲିଭାଇବା ପାଇଁ ଅତିରିକ୍ତ ଅଗ୍ନିଶମ ବିଭାଗର ସହାୟତା ଥୋବାଲ ଜିଲ୍ଲାରୁ ନିଆଯାଇଥିଲା। ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.