କୋଲ୍କାତା ୨୦/୧: ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଂଜୟକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ଏଥିସହ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ସିଆଲଦା କୋର୍ଟ । ତେବେ କୋର୍ଟଙ୍କ ରାୟକୁ ନେଇ ଖୁସି ନାହାନ୍ତି ପୀଡିତାଙ୍କ ପରିବାର ।
କାହିଁକି ନା ମାମଲାରେ ପୀଡିତାଙ୍କ ପରିବାର ଓ ସିବିଆଇ ଫାଶୀ ଦଣ୍ଡ ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟ ଫାଶୀ ବଦଳରେ ଆଜୀବନ ଜେଲ୍ ଦଣ୍ଡାଦେଶ ପୀଡିତାଙ୍କ ପରିବାରକୁ ନିରାଶ କରିଛି । ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ରାଶି ଦେବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯାହାକୁ ନେଇ ଖୁସି ନାହାନ୍ତି ପରିବାର ଲୋକ ।
ସେମାନେ କହିଛନ୍ତି ଆମକୁ ସହାୟତା ନୁହେଁ ନ୍ୟାୟ ଦରକାର । ପୀଡିତାଙ୍କ ପରିବାର ଲୋକଙ୍କ ସହ ସ୍ବର ମିଶାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି କୋଲକାତା ପୋଲିସଠୁ ମାମଲା ଛଡାଇ ସିବିଆଇକୁ ଦିଆଯାଇଥିଲା । ହେଲେ କଣ ହେଲା । ଯଦି ପୋଲିସ ପାଖରେ ଥାଆନ୍ତା ଅଭିଯୁକ୍ତକୁ ଫାଶୀ ଦଣ୍ଡ ମିଳିବା ସୁନିଶ୍ଚିତ କରିଥାନ୍ତେ । ହେଲେ ଆଜିର ରାୟ ସମସ୍ତଙ୍କୁ ନିରାଶ କରିଛି ।
ଅଭିଯୁକ୍ତ ସଂଜୟକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବାକୁ ଦାବି କରିଛନ୍ତି ମମତା।