ନୂଆଦିଲ୍ଲୀ ୨୦।୧: ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ତାହିର ହୁସୈନଙ୍କ ଜାମିନ ନିବେଦନର ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। କୋର୍ଟ ତାହିରଙ୍କୁ ଇଶାରା କରି ‘ଏପରି ଲୋକମାନଙ୍କ ନିର୍ବାଚନ ଲଢିବା ଉପରେ କଟକଣା ଲାଗିବା ଦରକାର ବୋଲି କହିଛନ୍ତି। ଜେଲରେ ରହି ନିର୍ବାଚନ ଲଢିବାର ପରମ୍ପରା ଦେଶରେ ବନ୍ଦ ହେବା ଉଚିତ ବୋଲି କହିଛନ୍ତି’। ତେବେ ତାହିରଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରୱାଲ ଏହି କେସ୍ ଜାମିନ ପ୍ରଦାନ ଦୃଷ୍ଟିରୁ ଉଚିତ ବୋଲି କହିଛନ୍ତି। ଏଥିରେ କୋର୍ଟ ତାହିରଙ୍କ ଜାମିନ ନିବେଦନର ଶୁଣାଣି ୨୧ ଜାନୁୟାରୀ ମଙ୍ଗଳବାରକୁ ଟାଳିଛନ୍ତି।
ତାହିରଙ୍କୁ ଏଆଇଏମଆଇଏମ ଦିଲ୍ଲୀ ମୁସ୍ତଫାବାଦ ବିଧାନସଭା ଆସନରୁ ଟିକେଟ୍ ଦେଇଛି। ସେ ବିଧାନସଭା ନିର୍ବାଚନ ପ୍ରଚାର ନିମନ୍ତେ ଜେଲରୁ ବାହାରକୁ ବାହାରିବାକୁ ଚାହୁଁଛନ୍ତି। ସୁପ୍ରିମକୋର୍ଟ ତାହିରଙ୍କ ଓକିଲଙ୍କ ଅନୁରୋଧରେ ଶୁଣାଣିକୁ ଦିନକ ପାଇଁ ଟାଳିଛନ୍ତି। ଆମ ଆଦମୀ ପାର୍ଟି (ଆପ)ର ନିଗମ କାଉନସିଲର ଥିବା ତାହିର ହୁସୈନ ୨୦୨୦ ଦିଲ୍ଲୀ ଦଙ୍ଗା ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ। ଏହି ଦଙ୍ଗାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ତାହିରଙ୍କ ବିରୋଧରେ ଇଣ୍ଟେଲିଜେନ୍ସୀ ବ୍ୟୁରୋ (ଆଇବି) ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୋଗ ବି ରହିଛି।
ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଦିଲ୍ଲୀ ହୋଇକୋର୍ଟ ତାହିରଙ୍କୁ କଷ୍ଟଡି ପାରୋଲ ମଞ୍ଜୁର କରିଥିଲେ। ତେବେ ନିର୍ବାଚନ ପର୍ଯ୍ୟନ୍ତ ସେ ବାହାରେ ରହିବା ପାଇଁ କରିଥିବା ଜାମିନ ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ସୋମବାର ତାହିରଙ୍କ ଜାମିନ ନିବେଦନ ଉପରେ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ପଙ୍କଜ ମିଥଲ ଓ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ବେଞ୍ଚ ଶୁଣାଣି କରିଛନ୍ତି। ତାହିର ଗୁରୁତର ଅଭିଯୋଗରେ ଜେଲରେ ବନ୍ଦୀ ଥିବାରୁ ବେଞ୍ଚ ତାଙ୍କ ଆଡକୁ ଇଶାରା କରି ଏପରି ସବୁ ଲୋକଙ୍କ ନିର୍ବାଚନ ଲଢିବା ଉପରେ କଟକଣା ଲାଗିବା ଦରକାର ବୋଲି କହିଛନ୍ତି।
ତେବେ ନିର୍ବାଚନ ଅଧିକାରୀ ତାଙ୍କ ପ୍ରାର୍ଥୀପତ୍ର ସ୍ୱୀକାର କରିଥିବା ବେଳେ ତାଙ୍କୁ ପ୍ରଚାର ଅନୁମତି ମଧ୍ୟ ମିଳିବା ଦରକାର ବୋଲି ବରିଷ୍ଠ ଓକିଲଙ୍କ ଅନୁରୋଧରେ କୋର୍ଟ ମଙ୍ଗଳବାର ଶୁଣାଣି କରିବେ ବୋଲି କହିଛନ୍ତି। ତାହିର ନିର୍ବାଚନ ପ୍ରଚାର କରିବା ପାଇଁ କୋର୍ଟରେ ଆବେଦନ ଦାଖଲ କରି ଅନ୍ତରୀଣା ଜାମିନ ନିମନ୍ତେ ନିବେଦନ କରିଛନ୍ତି। ତାହିର ପ୍ରଥମେ ଆପ କାଉନସିଲର ଥିଲେ ତେବେ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ତାଙ୍କୁ ମୁସ୍ତଫାବାଦ ଆସନରୁ ପ୍ରାର୍ଥୀ କରିଛି। ତାଙ୍କ ପ୍ରାର୍ଥୀତ୍ୱ ଏବେ ଜାତୀୟ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ୨୦୨୦ ଦିଲ୍ଲୀ ଦଙ୍ଗାରେ ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ।