ନୂଆଦିଲ୍ଲୀ: ଗୁଜରାଟର ଜଣେ ହୀରା ବ୍ୟବସାୟୀ ଆମେରିକାର ନିବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେହେରା ଥିବା ଏକ ହୀରା ତିଆରି କରିଛନ୍ତି । ଏହି ହୀରାକୁ ତିଆରି କରିବା ପାଇଁ ୬୦ ଦିନ କଠିନ ପରିଶ୍ରମ ଲାଗିଛି । 5 ଜଣ କୁଶଳୀ କାରିଗର ଦିନରାତି ଏକ କରି ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ହୀରାର ମୂଲ୍ୟ ଲକ୍ଷାଧିକ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ ଗୁଜରାଟର ହୀରା ବ୍ୟବସାୟୀ ମୁକେଶ ପଟେଲ ଏବଂ ସ୍ମିତ୍ ପଟେଲଙ୍କ କମ୍ପାନି ଏହି ହୀରାକୁ ତିଆରି କରିଛି । ଏହି ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ ଉପରେ ଅତି ସୁକ୍ଷ୍ମ କାରୁକାର୍ଯ୍ୟ କରି ଡୋନାଲ୍ଡ ଟ୍ରମ୍ପଙ୍କ ଛବି କରାଯାଇଛି ।
ସୂଚନା ଅନୁସାରେ ଏହି ହୀରାର ବର୍ତ୍ତମାନ ଅନ୍ତର୍ଜାତୀୟ ବଜାର ମୂଲ୍ୟ ୧୦ ହଜାର ଆମେରିକୀୟ ଡଲାର । ଅନ୍ୟପଟେ ଭାରତୀୟ ବଜାରେ ଏହାର ମୂଲ୍ୟପ୍ରାୟ ସାଢେ ଆଠ ଲକ୍ଷ ଟଙ୍କା । ମୁକେଶ ପଟେଲ ଏବଂ ସ୍ମିତ ପଟେଲଙ୍କ କମ୍ପାନି ଗ୍ରୀନଲାଣ୍ଡ ଡାଇମଣ୍ଡ ଏହି ଖାସ୍ ହୀରାକୁ ପ୍ରସ୍ତୁତ କରିଛି । ଏହି ହୀରାର ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ଅନେକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି ।