ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଚାଲିଛି ମହାକୁମ୍ଭ ମେଳା। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଏଥିରେ ଦେଶ ବିଦେଶରୁ କୋଟି କୋଟି ଲୋକ ଆସି ଯୋଗ ଦେଉଛନ୍ତି। ମହାକୁମ୍ଭମେଳାରେ ୪୫ କୋଟି ଶ୍ରଦ୍ଧାଳୁ ଯୋଗ ଦେବାର ସମ୍ଭାବନା ରହିଛି। ମେଳା ଆୟୋଜନ ପାଇଁ ଉତ୍ତର ପ୍ରଦେଶ ସରକାର ହଜାରେ କୋଟିରୁ ଅଧିକ ବଜେଟ୍ ଖର୍ଚ୍ଚ କରୁଛନ୍ତି।
ମାସାଧିକ କାଳ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ କ୍ଷେତ୍ରରେ ୧୨ ଲକ୍ଷ ଅସ୍ଥାୟୀ ନିଯୁକ୍ତି ସୃଷ୍ଟି ହେବ ବୋଲି ସୋମବାର ଟାଲେଣ୍ଟ ସଲ୍ୟୁସନ କମ୍ପାନୀ ଏନଏଲବି ସର୍ଭିସ୍ ସିଇଓ ସଚିନ ଅଲୁଗ କହିଛନ୍ତି। ଇଣ୍ଟରନାଲ ଡାଟା ଆନାଲିସିସ୍ ଓ ବିଭିନ୍ନ ଇଣ୍ଡଷ୍ଟ୍ରୀରୁ ତଥ୍ୟ ନେଇ କମ୍ପାନୀ ଏଭଳି ସୂଚନା ଦେଇଛି।
ଏହି ମେଳାରେ ୪୦୦ ମିଲିଅନ ଭକ୍ତଙ୍କ ସମାଗମ ହେବ ବୋଲି ଉତ୍ତର ପ୍ରଦେଶ ସରକାର ଆଶା ରଖିଛନ୍ତି। ଏହି ଐତିହାସିକ ଧର୍ମସଭା ଆର୍ଥିକ ଅଭିବୃଦ୍ଧି ଏବଂ ଅସ୍ଥାୟୀ ନିଯୁକ୍ତି ପାଇଁ ଏକ ଶକ୍ତିଶାଳୀ ସ୍ଥାନ ଭାବରେ ଉଭା ହେଉଛି ବୋଲି ଏନଏଲବି ସିଇଓ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ମହାକୁମ୍ଭର ଅର୍ଥନୈତିକ ପ୍ରଭାବ- ଭିତ୍ତିଭୂମି ବିକାଶ, ଇଭେଣ୍ଟ ପରିଚାଳନା, ସୁରକ୍ଷା ସେବା, ସ୍ଥାନୀୟ ବାଣିଜ୍ୟ, ପର୍ଯ୍ୟଟନ, ମନୋରଞ୍ଜନ ଏବଂ ଉଦ୍ୟାନ କୃଷି ସମେତ ଏକାଧିକ କ୍ଷେତ୍ରରେ ବ୍ୟାପିଛି, ଯାହା ପାରମ୍ପରିକ ଏବଂ ଆଧୁନିକ ବ୍ୟବସାୟିକ କ୍ଷେତ୍ରରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଛି।
ଆଲୁଗ ଆହୁରି କହିଛନ୍ତି ଯେ କେବଳ ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପ(ହସପିଟାଲିଟି)ରେ, ପ୍ରାୟ ୪.୫ ଲକ୍ଷ ନିଯୁକ୍ତି ଆଶା କରାଯାଉଛି, ଯେଉଁଥିରେ ହୋଟେଲ କର୍ମଚାରୀ, ଟୁର୍ ଗାଇଡ୍, ପୋର୍ଟର, ଟ୍ରାଭେଲ୍ ପରାମର୍ଶଦାତା ଏବଂ ଇଭେଣ୍ଟ ସଂଯୋଜକଙ୍କ ଭଳି ନିଯୁକ୍ତି ରହିଛି।
ସେହିପରି, ପରିବହନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ପ୍ରାୟ ୩ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି। ଯେଉଁଥିରେ ଡ୍ରାଇଭର, ଯୋଗାଣ ଶୃଙ୍ଖଳା ପରିଚାଳକ, କୋରିଅର କର୍ମଚାରୀ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନିଯୁକ୍ତି ରହିଛି।
ମହାକୁମ୍ଭ ମେଳାରେ ସ୍ଥାପିତ ଅସ୍ଥାୟୀ ଚିକିତ୍ସା ଶିବିରଗୁଡ଼ିକ ପ୍ରାୟ ୧.୫ ଲକ୍ଷ ଫ୍ରିଲାନ୍ସ ନର୍ସ, ପାରାମେଡିକ୍ସ ଏବଂ ଅନ୍ୟ ସହଯୋଗୀ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ହେବ। ଯାହା ଲକ୍ଷ ଲକ୍ଷ ଶୁଦ୍ଧାଳୁଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବ।
ସେହିପରି ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ନିଯୁକ୍ତି ଚାହିଦା ରହିଛି। ଭର୍ଚୁଆଲ୍ ଦର୍ଶନ ଆପ୍ସ, ରିଅଲ୍-ଟାଇମ୍ ଇଭେଣ୍ଟ ଅପଡେଟ୍ ପ୍ଲାଟଫର୍ମ ଏବଂ ସାଇବର ସୁରକ୍ଷା ପରିଚାଳନା ପାଇଁ ପ୍ରାୟ ୨ ଲକ୍ଷ ଏକ୍ସପର୍ଟଙ୍କ ଆବଶ୍ୟକତା ରହିଛି। ଯାହା ଦ୍ୱାରା ଡିଜିଟାଲ୍ ଅଭିଜ୍ଞତାକୁ ମଧ୍ୟ ଉତ୍ତମ କରିହେବ। ସେହିପରି ଭକ୍ତମାନଙ୍କ ଆବଶ୍ୟକତା ପୂରଣ କରୁଥିବା ରିଟେଲ ସେକ୍ଟରରେ ୧ ଲକ୍ଷ ଅସ୍ଥାୟୀ ନିଯୁକ୍ତି ହେବ ବୋଲି ଏନଏଲ୍ବି ସିଇଓ ଅଲୁଗ କହିଛନ୍ତି।