ଇସ୍ଲାମାବାଦ ୮।୧୧: ଜେଲରେ ବନ୍ଦୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶ ଛାଡି ପଳାଇବାର ଦାବିକୁ ପୁଣି ଥରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭଳି ସେ ଦେଶ ଛାଡି ପଳାୟନ କରିବେନି। ଉଲ୍ଲେଖଯୋଗ୍ୟ ଯେ ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ନିକଟରେ କହିଥିଲେ ଯେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ) ବିଦେଶୀ ଶକ୍ତି ଦ୍ୱାରା ଇମ୍ରାନଙ୍କୁ ମୁକ୍ତି କରିବାକୁ ଓ ବିଦେଶ ପଠାଇବାକୁ ଆଗ୍ରହ କରୁଛି।
ତେବେ ଇମ୍ରାନ ଖାନ ଏହି ଆକଳନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଇମ୍ରାନ କହିଛନ୍ତି ଯେ ସେ କୁଆଡେ ବି ଯିବେନି ଓ ପାକିସ୍ତାନରେ ହିଁ ରହିବେ। ସେ କୌଣସି ପରିସ୍ଥିତିରେ ବି ଦେଶ ଛାଡିବେନି ବୋଲି ସଫାସଫା କହିଛନ୍ତି। ଇମ୍ରାନଙ୍କ ଏକ୍ସ ରେ ଏକ ବୟାନ ଜାରି କରାଯାଇଛି। ତାଙ୍କ ପକ୍ଷରୁ କୁହାଯାଇଛି ଯେ ମୁଁ କେବେବି ଦେଶ ଛାଡି ପଳାୟନ କରିବିନି। ମୋ ନାମକୁ ସ୍ଥାୟୀ ରୂପେ ନୋ ଫାଇ ସୂଚୀରେ ପକାଇ ଦିଅନ୍ତୁ। ମୁଁ କୁଆଡେ ବି ଯାଉନି।
ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦେଶ ଛାଡିଛନ୍ତି। ଏବେ ତାଙ୍କ ପଛେ ପଛେ ଝିଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ଔରଙ୍ଗଜେବ ମଧ୍ୟ ଦେଶ ଛାଡିଛନ୍ତି। ପିଏମଏଲ-ଏନ ଅନୁସାରେ ମରିୟମ ଚିକିତ୍ସା ନିମନ୍ତେ ଗୁରୁବାର ସ୍ୱିଜରଲ୍ୟାଣ୍ଡ ଯାଇଛନ୍ତି। ଏହା ପୂର୍ବରୁ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଗତମାସରେ ଚିକିତ୍ସା ଉପଚାର ନିମନ୍ତେ ଲଣ୍ଡନ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ନୱାଜ ସରିଫ ବ୍ରିଟେନରେ ୪ ବର୍ଷ ଆତ୍ମ ନିର୍ବାସନ ପରେ ଅକ୍ଟୋବର ୨୦୨୩ରେ ପାକିସ୍ତାନ ଫେରିଥିଲେ।