ଆଡିଲେଡ୍ ୧୦/୧୨: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ମାତ୍ର ଅଢେଇ ଦିନ ମଧ୍ୟରେ ଶେଷ ହୋଇଥିଲା । ଅଷ୍ଟ୍ରେଲିଆ ୧୦ ୱିକେଟରେ ଏହି ମ୍ୟାଚ ଜିତି ୧-୧ରେ ସିରିଜ ବରାବର କରିଥିଲା । ଭାରତ ସବୁ ବିଭାଗରେ ବିଫଳ ହୋଇଥିବା ବେଳେ ଅଷ୍ଟ୍ରେଲିଆ ସହ ଅନେକ ରେକର୍ଡ ଯୋଡି ହୋଇଯାଇଥିଲା ।
ଆଡିଲେଡରେ ଅଷ୍ଟ୍ରେଲିଆର ଏହା ଅଷ୍ଟମ ଦିବାରାତ୍ର ଟେଷ୍ଟ ବିଜୟ ରହିଥିଲା । ଏଠାରେ ଅନୁଷ୍ଠିତ ସମସ୍ତ ଦିବା ରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି । ଘରୋଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଆଜି ପର୍ଯ୍ୟନ୍ତ ମୋଟ ୧୨ଟି ଦିବା ରାତ୍ର ଟେଷ୍ଟ ଖେଳିଛି ଓ ଏଥିରୁ ୧୧ଟି ଟେଷ୍ଟରେ ବିଜୟୀ ହୋଇଛି । ଏକମାତ୍ର ଦଳ ଭାବେ ୱେଷ୍ଟ ଇଣ୍ଡିଜ୍ ଗତ ଜାନୁଆରୀରେ ଅନୁଷ୍ଠିତ ଦିବା ରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ବ୍ରିସବେନର ଗାବା ଗ୍ରାଉଣ୍ଡରେ ଉକ୍ତ ମ୍ୟାଚ୍ ଖେଳାଯାଇଥିଲା ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମଧ୍ୟରେ ଏହା ସବୁଠୁ ଛୋଟ ମ୍ୟାଚ୍ ରହିଥିଲା । ମୋଟ ୧୦୩୧ଟି ବଲ୍ ମଧ୍ୟରେ ସମ୍ପୂର୍ଣ୍ଣ ମ୍ୟାଚ୍ ଶେଷ ହୋଇଥିଲା । ପୂର୍ବରୁ ଉଭୟ ଦଳ ମଧ୍ୟରେ ୨୦୨୩ରେ ଅନୁଷ୍ଠିତ ଇନ୍ଦୋର ଟେଷ୍ଟ ସବୁଠୁ ଛୋଟ ଟେଷ୍ଟ ରହିଥିଲା । ୧୧୩୫ଟି ବଲ୍ ମଧ୍ୟରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇଥିଲା ।
ଭାରତୀୟ ଦଳ ଉଭୟ ଇନିଂସରେ ମୋଟ ୪୮୬ଟି ବଲ୍ର ସାମ୍ନା କରିଥିଲା । ୧୯୫୨ରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟରେ ଭାରତ ସବୁଠୁ କମ୍ ୩୪୯ଟି ବଲର ସାମ୍ନା କରିଥିଲା । ଏହି ତାଲିକାରେ ଆଡିଲେଡ୍ ଚତୁର୍ଥ ସ୍ଥାନରେ ରହିବ । ଏହି ମ୍ୟାଚରେ ଭାରତ ୧୦ ୱିକେଟରେ ପରାଜିତ ହୋଇଥିଲା । ଟେଷ୍ଟ ଇତିହାସରେ ଭାରତର ଏହା ୧୯ତମ ୧୦ ୱିକେଟ୍ ପରାଜୟ ରହିଥିଲା । ସର୍ବାଧିକ ଥର ୧୦ ୱିକେଟ ପରାଜୟ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି ।
କଙ୍ଗାରୁ ଦଳ ମୋଟ୍ ୩୨ଥର ୧୦ ୱିକେଟରେ ପରାଜିତ ହୋଇଛି । ସେହିପରି ଇଂଲଣ୍ଡ ୨୫ଥର ୧୦ ୱିକେଟରେ ପରାଜୟ ବରଣ କରିଛି । ପ୍ୟାଟ କମିନ୍ସ ଦ୍ୱିତୀୟ ଇନିଂସରେ ୫ ୱିକେଟ ଅକ୍ତିଆର କରିଥିଲେ । ୨୦୧୮ରୁ ଇତିମଧ୍ୟରେ ସେ ଟେଷ୍ଟ କ୍ରିକେଟରେ ୧୨ଥର ୫ ୱିକେଟ ସଫଳତା ଅର୍ଜନ କରିଛନ୍ତି । ଗତ ୬ ବର୍ଷ ମଧ୍ୟରେ କମିନ୍ସଙ୍କ ବ୍ୟତୀତ ନାଥାନ ଲୟନ ଓ ବାଂଲାଦେଶର ତାଇଜୁଲ ଇସଲାମ ମଧ୍ୟ ୧୨ଥର ଲେଖାଏଁ ୫ ୱିକେଟ ସଫଳତା ଅର୍ଜନ କରିଛନ୍ତି ।
ଯଶପ୍ରୀତ ବୁମରା ଏହି ସମୟ ମଧ୍ୟରେ ୧୧ଥର ୫ୱିକେଟ ସଫଳତା ଅର୍ଜନ କରିଛନ୍ତି । ନୀତିଶ କୁମାର ରେଡ୍ଡୀ ଉଭୟ ଇନିଂସରେ ୪୨ ରନ୍ ଲେଖାଏଁ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଏହା ସର୍ବାଧିକ ସ୍କୋର ରହିଥିଲା । ଟେଷ୍ଟ ଇତିହାସରେ ୪ଜଣ ଖେଳାଳି ୭ନଂ ସ୍ଥାନରେ ବ୍ୟାଟିଂ କରି ଉଭୟ ଇନିଂସରେ ସର୍ବାଧିକ ସ୍କୋର ସଂଗ୍ରହ କରିଛନ୍ତି ।
ତାଙ୍କ ପୂର୍ବରୁ ୧୯୬୧ରେ ଇଡ଼େନ ଗାର୍ଡେନ୍ସରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଚନ୍ଦୁ ବୋର୍ଡେ, ୨୦୧୧ରେ ବର୍ମିଂହାମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ଓ ୨୦୧୮ରେ ଲର୍ଡ୍ସରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଆର ଅଶ୍ୱିନ ଏହି ସଫଳତା ଅର୍ଜନ କରିଥିଲେ ।