ପରମାଣୁ ଅସ୍ତ୍ର ବଳରେ ଭାରତ ପାକିସ୍ତାନ ଠାରୁ ଅଧିକ ଶକ୍ତିଶାଳୀ, ସେପଟେ ଚୀନ ଦ୍ରୁତ ଗତିରେ ବଢ଼ାଉଛି ନ୍ୟୁକ୍ଲିୟର ପାୱାର

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ପାକିସ୍ତାନ ଠାରୁ ଭାରତ ପାଖରେ ଅଧିକ ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ର ଅଛି। ସେପଟେ ଚୀନ ନିଜର ନ୍ୟୁକ୍ଲିୟର ଅସ୍ତ୍ର କ୍ଷମତାକୁ ବଢ଼ାଇ ଚାଲିଛି। ୨୦୨୩ ଜାନୁଆରୀରେ ଚୀନ ପାଖରେ ୪୧୦ ପରମାଣୁ ଅସ୍ତ୍ର ଥିଲା ଯାହା ୨୦୨୪ ଜାନୁଆରୀ ସୁଦ୍ଧା ୫୦୦କୁ ବୃଦ୍ଧି ପାଇଛି ବୋଲି ସ୍ୱିଡେନ୍‌ର ଏକ ଗବେଷଣା ସଂସ୍ଥା ରିପୋର୍ଟ ପ୍ରକାଶ କରିଛି। 

ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱରେ ଦୁଇଟି ଯୁଦ୍ଧ ଜାରି ରହିଥିବା ବେଳେ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ(SIPRI) ପରମାଣୁ ଅସ୍ତ୍ର ନେଇ ରିପୋର୍ଟ ପ୍ରକାଶ କରିଛି। ପରମାଣୁ ଶକ୍ତି ସମ୍ପନ୍ନ ୯ଟି ଦେଶ ମଧ୍ୟରୁ ଭାରତ, ପାକିସ୍ତାନ ଓ ଚୀନ ସେମାନଙ୍କର ପରମାଣୁ ଅସ୍ତ୍ର ବଢ଼ାଇବା ସହ ଏହାର ଅଧୁନିକୀକରଣ କରୁଛନ୍ତି ବୋଲି ସିପ୍ରି କହିଛି। କେବଳ ଏମାନେ ନୁହଁନ୍ତି ଆମେରିକା, ଋଷ, ବ୍ରିଟେନ, ଫ୍ରାନ୍ସ, ଉତ୍ତର କୋରିଆ ଏବଂ ଇସ୍ରାଏଲ ମଧ୍ୟ ପରମାଣୁ ଅସ୍ତ୍ର ବଢ଼ାଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। 

ସିପ୍ରି ରିପୋର୍ଟ ଅନୁସାରେ, ପୂରା ବିଶ୍ୱରେ ୯୦ ପ୍ରତିଶତ ପରମାଣୁ ଅସ୍ତ୍ରଶସ୍ତ୍ର କେବଳ ରୁଷ ଏବଂ ଆମେରିକା ପାଖରେ ରହିଛି। ଏବଂ ୨୦୨୩ ମସିହାରେ ଅନେକ ଦେଶ ନୂଆ ପରମାଣୁ କ୍ଷମତାଶାଳୀ ଅସ୍ତ୍ର ପ୍ରଣାଳୀ ନିୟୋଜିତ କରିଛନ୍ତି। ପ୍ରାୟ ୨୧୦୦ ପରମାଣୁ ଅସ୍ତ୍ର ରହିଛି। ଯାହା ମଧ୍ୟରୁ ଅଧିକାଂଶ ଆମେରିକା ଏବଂ ଋଷର ବୋଲି ସିପ୍ରି କହିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ମଧ୍ୟ ପ୍ରଥମ ଥର ପାଇଁ ହାଇ ଅପରେଟିଭ୍ ଆଲର୍ଟ ଉପରେ କିଛି ପରମାଣୁ ଅସ୍ତ୍ର ରଖିଛି।

ଭାରତ ପାଖରେ ୧୭୨ ପରମାଣୁ ଅସ୍ତ୍ର ରହିଛି।  

ସିପ୍ରି ରିପୋର୍ଟ ଅନୁସାରେ, ଜାନୁଆରୀ ୨୦୨୪ ସୁଦ୍ଧା ଭାରତରେ ୧୭୨ ଟି "ସଂରକ୍ଷିତ" ପରମାଣୁ ଅସ୍ତ୍ର ରହିଛି। ଯାହା ପାକିସ୍ତାନଠାରୁ ଦୁଇଟି ଅଧିକ ବୋଲି କୁହାଯାଉଛି। ୨୦୨୩ରୁ ଭାରତ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସାମାନ୍ୟ ବୃଦ୍ଧି କରିଥିଲା। ଉଭୟ ପାକିସ୍ତାନ ଓ ଭାରତ ୨୦୨୩ରୁ ନୂଆ ପ୍ରକାରର ପରମାଣୁ ପ୍ରହାର କରିପାରୁଥିବା ପ୍ରଣାଳୀର ବିକାଶ ଜାରି ରଖିଛନ୍ତି। 

ପାକିସ୍ତାନ ଭାରତକୁ ଟାର୍ଗେଟ୍ କରୁଥିବା ବେଳେ ଭାରତ କିନ୍ତୁ ଦୂରଗାମୀ ଅସ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଛି। ଯାହା ଚୀନର ସମସ୍ତ ଅଞ୍ଚଳକୁ ସହଜରେ ଟାର୍ଗେଟ୍ କରିପାରିବ ବୋଲି ରିପୋର୍ଟରେ କୁହାଯାଇଛି। ସ୍ୱିଡିସ୍ ଥିଙ୍କ ଟ୍ୟାଙ୍କ ଅନୁସାରେ, ବାଲିଷ୍ଟିକ୍ ମିସାଇ ଉପରେ ଏକାଧିକ ଅସ୍ତ୍ରଶସ୍ତ୍ର ରଖି ମୁତୟନ କରିବା ଦିଗରେ ଭାରତ, ପାକିସ୍ଥାନ, ଉତ୍ତର କୋରିଆ ଋଷ ଏବଂ ଆମେରିକାର ପଦାଙ୍କ ଅନୁସରଣ କରୁଛନ୍ତି। ତେବେ ଅନ୍ୟ ଦେଶ ତୁଳନାରେ ଚୀନ ନିଜର ପରମାଣୁ ଅସ୍ତ୍ରକୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି କରୁଛି ବୋଲି ସିପ୍ରିର ହନ୍ସ କ୍ରିଷ୍ଟେନ୍ କହିଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.