ଡର୍ବାନ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ କ୍ଲିନ ସୁଇପ୍ ହାରିବା ପରେ ଏବେ ଭାରତୀୟ ଦଳ ନିଜର ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତି କରୁଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଡର୍ବନରେ ଖେଳାଯିବ। ଏହା ପରେ ନଭେମ୍ବର ୧୦ ତାରିଖରେ ଦ୍ଵିତୀୟ ମ୍ୟାଚ୍ ଖେଳାଯିବ। ଉଲ୍ଲେଖନୀୟ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ଵିପାକ୍ଷିକ ଟି-୨୦ ସିରିଜ୍ ରେକର୍ଡ ଦମଦାର ରହିଛି।
ଗତ ୫ ସିରିଜରେ ଭାରତୀୟ ଦଳ ପରାଜୟ ଭୋଗିନାହିଁ। ଏହି ସମୟରେ ଭାରତ ୨ଟି ସିରିଜ୍ ଜିତିଥିବା ବେଳେ ୩ଟି ସିରିଜ୍ ଡ୍ର ରହିଛି। ଦୁଇ ଦଳ ମଧ୍ୟରେ ଅଦ୍ୟାବଧି ୯ଟି ଦ୍ଵିପାକ୍ଷିକ ଟି-୨୦ ସିରିଜ୍ ଖେଳା ଯାଇଛି। ଏଥିରୁ ଭାରତ ୪ ଓ ଦକ୍ଷିଣ ଆଫ୍ରିକା ୨ଟି ସିରିଜ୍ ଜିତିଛି। ଭାରତୀୟ ଦଳ ଶେଷ ଥର ୨୦୧୫ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ହାରିଥିଲା। ଏହା ପରଠୁ ଦଳ ପରାଜୟ ଭୋଗିନାହିଁ। ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୦ମ ଦ୍ଵିପାକ୍ଷିକ ଟି-୨୦ ସିରିଜ୍ ଖେଳାଯିବ।
ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେବା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଦଳର ନିୟମିତ ଅଧିନାୟକ କରାଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସ୍ଥାନରେ ଟି-୨୦ ସିରିଜ୍ରେ ଭିଭିଏସ ଲକ୍ଷ୍ମଣ କୋଚିଂ ଦାୟିତ୍ଵ ସମ୍ଭାଳିବେ। କାରଣ ଗମ୍ଭୀର ନଭେମ୍ବର ୧୦ରେ ବର୍ଡର-ଗାଭାସ୍କର ସିରିଜ୍ ପାଇଁ ଭାରତୀୟ ଟେଷ୍ଟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବେ।
ଅନେକ ଯୁବ ଖେଳାଳି ସାମିଲ୍
ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ଅନେକ ନୂତନ ଓ ଯୁବ ଖେଳାଳିଙ୍କୁ ଏହି ଗସ୍ତରେ ସାମିଲ କରାଯାଇଛି। ମଧ୍ୟକ୍ରମରେ ବ୍ୟାଟର ରମଣଦୀପ ସିଂ ଓ ଦ୍ରୁତ ବୋଲର ବିଜୟ କୁମାର ବୈଶାକଙ୍କୁ ଦଳରେ ସାମିଲ କରାଯାଇଛି। ଦୁଇ ଖେଳାଳିଙ୍କୁ ପ୍ରଥମ ଥର ଭାରତୀୟ ଜାତୀୟ ଦଳରେ ସ୍ଥାନ ମିଳିଛି। ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି। ଦ୍ରୁତ ବୋଲର ମୟଙ୍କ ଯାଦବ ଓ ଅଲରାଉଣ୍ଡର ଶିବମ ଦୁବେ ଆହତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି।
ଭାରତ-ଆଫ୍ରିକା ମଧ୍ୟରେ ମୁକାବିଲା
ମୋଟ୍ ମ୍ୟାଚ୍-୨୭
ଭାରତ ଜିତିଛି- ୧୫
ଦକ୍ଷିଣ ଆଫ୍ରିକା ଜିତିଛି- ୧୧
ଡ୍ର- ୧
ଆଫ୍ରିକାରେ ଭାରତୀୟ ଦଳର ଟି-୨୦ ରେକର୍ଡ
ମୋଟ୍ ଟି-୨୦ ମ୍ୟାଚ୍- ୧୫
ଜିତିଛି-୧୦
ହାରିଛି- ୪
ଡ୍ର- ୧