ଜୟସ୍ଵାଲ ଓ କୋହଲିଙ୍କ ଦମଦାର ଶତକ, ପର୍ଥ ଟେଷ୍ଟରେ ଡ୍ରାଇଭିଂ ସିଟ୍‌ରେ ଭାରତ

Published By : Prameya-News7 Bureau | November 24, 2024 IST

ପର୍ଥ: ପର୍ଥରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ମଜବୁତ ସ୍ଥିତିରେ ଭାରତୀୟ ଦଳ। ତୃତୀୟ ଦିନରେ ଯଶସ୍ଵୀ  ଜୟସ୍ଵାଲ ଓ ବିରାଟ କୋହଲିଙ୍କ ଦମଦାର ଶତକ ବଳରେ ଭାରତର ହାତ ମୁଠାରେ ପ୍ରଥମ ଟେଷ୍ଟ। ଭାରତ ଦ୍ଵିତୀୟ ଇନିଂସ ୪୮୭/୬ରେ ପାଳି ସମାପ୍ତି ଘୋଷଣା ପରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଅଷ୍ଟ୍ରେଲିଆକୁ ୫୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ଜବାବରେ ଅଷ୍ଟ୍ରେଲିଆ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୨ ରନ କରିଛି। ଉସ୍ମାନ ଖ୍ଵାଜା ୩ ରନ କରି କ୍ରିଜରେ ଅଛନ୍ତି। 

ଏହା ପୂର୍ବରୁ ଭାରତ ୧୭୨/୦ ସ୍କୋରରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା।  ଯଶସ୍ଵୀ ଜୟସ୍ଵାଲ ୯୦ ରନରୁ ନିଜର ଇନିଂସ ଆଗକୁ ବଢାଇଥିଲେ। ୬୨ ରନ କରି ଅପରାଜିତ ଥିବା କେଏଲ ରାହୁଲ  ନିଜ ସ୍କୋରରେ ୧୫ ରନ ଯୋଡ଼ି ୭୭ ରନ କରି ଆଉଟ୍ ହୋଇଥିଲେ। କେଏଲଙ୍କୁ ଆଉଟ୍ କରି ମିଚେଲ୍ ଷ୍ଟାର୍କ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଏହା ପୂର୍ବରୁ ଜୟସ୍ଵାଲ ଓ ରାହୁଲ ଓପନିଂରେ ୨୦୧ ରନର ରେକର୍ଡ ଭାଗିଦାରୀ ଯୋଡ଼ିଥିଲେ। ଅନ୍ୟପଟେ ଜୟସ୍ଵାଲ ନିଜର ଶତକ ପୂରଣ କରିଥିଲେ। ଦେବଦତ୍ତ ପାଡିକଲଙ୍କ ସହ ମିଶି ଜୟସ୍ଵାଲ ଦ୍ଵିତୀୟ ଓ୍ଵିକେଟ୍ ଭାଗିଦାରୀରେ ୭୪ ରନ ଯୋଡ଼ିଥିଲେ। ପାଡିକଲ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଭାରତ ସଅଳ ୩ ଓ୍ଵିକେଟ୍ ହରାଇଥିଲା। ଦମଦାର ବ୍ୟାଟିଂ କରୁଥିବା ଯଶସ୍ଵୀ ଜୟସ୍ଵାଲଙ୍କ ଶତକୀୟ ଇନିଂସର ଅନ୍ତ ଘଟାଇଥିଲେ ମିଚେଲ୍ ମାର୍ଶ। ଜୟସ୍ଵାଲ ୨୯୭ ବଲ୍‌ରୁ ୧୫ ଚୌକା ଓ ୩ ଛକା ସହ ୧୬୧ ରନ କରି ପାଭିଲିୟନ ଫେରିଥିଲେ। ଋଷଭ ପନ୍ତ(୧) ଓ ଧ୍ରୁବ ଜୁରେଲ(୧) ଆଉଟ୍ ହେବାରୁ ଦଳ ଉପରେ ଚାପ ପଡ଼ିଥିଲା। 

ଏହା ପରେ ଦଳର ଇନିଂସ ସମ୍ଭାଳିଥିଲେ ଦଳର ପୁରୁଖା ଖେଳାଳି ବିରାଟ କୋହଲି। ଆଜି ନିଜର ପୁରୁଣା ରଙ୍ଗରେ ନଜର ଆସିଥିଲେ କିଙ୍ଗ କୋହଲି। କ୍ରିଜରେ ଧୈର୍ଯ୍ୟର ସହ ଜମିବା ପରେ ସଟ୍ ଖେଳିବା ଆରମ୍ଭ କରିଥିଲେ। ପ୍ରଥମେ ଅର୍ଦ୍ଧଶତକ ତା ପରେ ଶତକ ଅଭିମୁଖେ ଗତି କରିଥିଲେ। ଅନ୍ୟପଟେ ଓ୍ଵାଂଶିଟନ ସୁନ୍ଦର ୨୯ ରନ କରି ଆଉଟ୍ ହୋଇଥିଲେ।ନୀତିଶ ରେଡ୍ଡୀ କ୍ରିଜକୁ ଆସିବା ମାତ୍ରେ ଟି-୨୦ ଶୈଳୀରେ ବ୍ୟାଟିଂ କରିଥିଲେ। ସେ ୨୭ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୪୮ ରନରେ ଅପରାଜିତ ଥିଲେ। ଅନ୍ୟପଟେ ବିରାଟ କୋହଲି ଶତକ ପୂରଣ କରିବା ମାତ୍ରେ ଭାରତ ୪୮୭/୬ରେ ଇନିଂସ ସମାପ୍ତି ଘୋଷଣା କରିଥିଲା।କୋହଲି ୧୪୩ ବଲରୁ ୮ ଚୌକା ଓ ୨ ଛକା ସହ ୩୦ତମ ଟେଷ୍ଟ ଶତକ ପୂରଣ କରିଥିଲେ। ଏହିପରି ଭାରତ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ କଙ୍ଗାରୁକୁ ୫୩୪ ରନର ଟାର୍ଗେଟ୍ ଦେଇଛି।

ଜବାବରେ କଙ୍ଗାରୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୨ ରନରେ ହିଁ ୩ ଓ୍ଵିକେଟ୍ ହରାଇ ସାରିଛି। ଖାତା ଖୋଲିବା ପୂର୍ବରୁ ହିଁ ଘରୋଇ ଦଳକୁ ବୁମରା ଝଟକା ଦେଇଥିଲେ। ନାଥନ  ମ୍ୟାକସ୍ଵିନି ଖାତା ଖୋଲି ପାରି ନ ଥିଲେ। ନାଇଟ୍ ଓ୍ଵାଚମ୍ୟାନ ପାଟ୍ କମିନ୍ସ(୨) ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ। ମାର୍ନସ ଲାବୁସେନ(୩) ମଧ୍ୟ ବୁମରାଙ୍କ ଶିକାର ହୋଇଥିଲେ। ଲାବୁସେନଙ୍କ ଆଉଟ୍ ହେବା ସହ ତୃତୀୟ ଦିନର ଖେଳ ସମାପ୍ତ ହୋଇଛି। ଉସ୍ମାନ ଖ୍ଵାଜା ୩ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୫୦ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ୍ ହୋଇଥିଲା। ଯଶପ୍ରୀତ ବୁମରା ୩୦ ରନ ଦେଇ ୫ ଓ୍ଵିକେଟ୍ ଦଖଲ କରି କଙ୍ଗାରୁ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.