ତାମିଲନାଡୁ ବିଜେପି ସଭାପତି ଦୌଡ଼ରୁ ଓହରିଲେ କେ.ଆନ୍ନାମଲାଇ: କହିଲେ, ଦଳ ନେବ ନିଷ୍ପତ୍ତି

Published By : Prameya-News7 Bureau | April 04, 2025 IST

indiatoday

ନୂଆଦିଲ୍ଲୀ: ତାମିଲନାଡୁରେ କେ. ଆନ୍ନା ମଲାଇଙ୍କୁ ବିଜେପି ସଭାପତି କରିବା ନେଇ ଦଳ ଭିତରେ ବିବାଦ ଲାଗି ରହିଥିଲା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଶେଷ କରି ଆନ୍ନାମଲାଇଙ୍କୁ ନେଇ ବିଜେପି ଓ ଆରଏସଏସ ମଧ୍ୟରେ ଅଙ୍କ ଛିଡ଼ୁ ନଥିଲା। ହେଲେ ଆନ୍ନାମଲାଇ ନିଜ ଆଡ଼ୁ ଏହି ପଦରୁ ଓହରି ଯାଇଛନ୍ତି। 

ଶୁକ୍ରବାର ଏନେଇ ସେ କହିଛନ୍ତି “ବିଜେପିରେ, ନେତାମାନେ ଦଳୀୟ ନେତା ପଦବୀ ପାଇଁ ପ୍ରତିଯୋଗିତା କରନ୍ତି ନାହିଁ। ଆମେ ସମସ୍ତେ ମିଳିତ ଭାବରେ ଜଣେ ଦଳୀୟ ସଭାପତିଙ୍କୁ ନିର୍ବାଚିତ କରୁ। ମୁଁ ସେହି ପଦବୀ ପାଇଁ ଦୌଡ଼ରେ ନାହିଁ।" 

କୋଏମ୍ବାଟୁରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଆନ୍ନାମଲାଇ କହିଛନ୍ତି: "ମୁଁ ଚାହୁଁଛି ଯେ ଦଳର ଭବିଷ୍ୟତ ଉଜ୍ଜ୍ୱଳ ହେଉ। ଏହି ଦଳ ଉନ୍ନତି ପାଇଁ ଅନେକ ଲୋକ ନିଜ ଜୀବନ ଦେଇଛନ୍ତି। ମୁଁ ସର୍ବଦା ଏହି ଦଳର ମଙ୍ଗଳ କାମନା କରୁଛି।" ତେବେ ସଭାପତି ଦୌଡ଼ରେ ସେ ନାହାନ୍ତି ବୋଲି ଦୃଢ଼ ଭାବେ ଦୋହରାଇଛନ୍ତି। ସେ କହିଛନ୍ତି “ମୁଁ ପରବର୍ତ୍ତୀ ରାଜ୍ୟ ସଭାପତି ପାଇଁ ଦୌଡ଼ରେ ନାହିଁ। କି କୌଣସି ରାଜନୈତିକ ଅନୁମାନ ଉପରେ ଉତ୍ତର ଦେଇପାରିବି ନାହିଁ।ବିଜେପି ଅନ୍ୟ ଦଳ ପରି ନୁହେଁ ଯେଉଁଠାରେ ଦଳର ସଭାପତି ପଦ ପାଇଁ ୫୦ ଜଣ ନେତା ନାମାଙ୍କନ ଦାଖଲ କରନ୍ତି।”

ପାଲାନିସ୍ୱାମୀ ଓ ଅମିତ ଶାହ

ପଢନ୍ତୁ- ରାମମନ୍ଦିର, ଧାରା-୩୭୦, ତିନି ତଲାକ୍, ସିଏଏ, ୟୁସିସି ପରେ ଓ୍ବାକଫ୍ ଶେଷ...ଏବେ କେଉଁ ଦିଗରେ କାର୍ଯ୍ୟ କରିବ ବିଜେପି ?

ସେପଟେ ତାମିଲନାଡୁରେ ଏଆଇଏଡିଏମ୍‌କେ ସହିତ ବିଜେପିର ମେଣ୍ଟକୁ ନେଇ ତୀବ୍ର ବିରୋଧ କରୁଥିବା ଆନ୍ନାମଲାଇଙ୍କ ସ୍ୱର ଏବେ ଟିକେ ନରମ ପଢ଼ିଛି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ ଇଡାପ୍ପାଡି ପାଲାନୀ ସ୍ୱାମୀଙ୍କ ସହିତ ଆଲୋଚନା କରିବା ପରେ ଆନ୍ନାମଲାଇ ନିରବ ରହିଛନ୍ତି। 

ସେପଟେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା ଅନ୍ନାମଲାଇଙ୍କ ବିଦାୟ ଜାତିଗତ ସମୀକରଣ ଉପରେ ଆଧାରିତ। ଉଭୟ ଅନ୍ନାମଲାଇ ଏବଂ ଏଆଇଏଡିଏମ୍‌କେ ନେତା ଏଡାପ୍ପାଡି ପଲାନିସ୍ୱାମୀ ପଶ୍ଚିମ ତାମିଲନାଡୁର ଗୌଣ୍ଡର ସମ୍ପ୍ରଦାୟର। ତେଣୁ ଅନ୍ନାମଲାଇଙ୍କ ସ୍ଥାନରେ ଯଦି ଅନ୍ୟ ଜାତି କିମ୍ବା ଅଞ୍ଚଳର କାହାକୁ ପ୍ରାର୍ଥୀ କରାଯାଏ ତେବେ ବିଜେପିକୁ ଏଥିରେ ଫାଇଦା ମିଳିବ ବୋଲି ରାଜନୈତୀକ ସମୀକ୍ଷକ କହିଛନ୍ତି। 

ତେବେ ସବୁଠାରୁ ବଡ଼ କଥା ହେଲା ତାମିଲନାଡୁରେ ଆନ୍ନାମଲାଇଙ୍କ ପ୍ରଭାବ ଯେ ବଢ଼ୁଛି ଏକଥାକୁ ଅସ୍ୱୀକାର କରିହେବ ନାହିଁ। କାରଣ ଗତ ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ବି ସିଟ୍ ହାସଲ କରିପାରି ନଥିଲା। ହେଲେ ରାଜ୍ୟରେ ଭୋଟ ବ୍ୟବଧାନ ବଢ଼ିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.