ତେଲକୋଇ ୦୯।୧୨ : କେନ୍ଦୁଝର ଜିଲ୍ଲା ତେଲକୋଇରେ କଙ୍ଗାରୁ କୋର୍ଟ । ଧାନ ଚୋରି କରିବାରୁ ଦୁଇ ଯୁବକଙ୍କ ବେକରେ ଜୋତା ମାଳ ପିନ୍ଧାଇବା ସହ ମୁହଁରେ ଚୁନକାଳି ବୋଳି ଗାଁ ଦାଣ୍ଡରେ ବୁଲାଇଲେ ଲୋକେ।
ତେଲକୋଇରେ ପୁଣି କଙ୍ଗାରୁ କୋର୍ଟ। ଯୁବକଙ୍କୁ ବେକରେ ଜୋତା ମାଳ ଓ ମୁହଁ ରେ ଚୁନକାଳି ବୋଳି ଗାଁ ଦାଣ୍ଡରେ ବୁଲାଇଲେ ଲୋକେ। ରବିବାର ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗାଁର ସୁରେଶ ପଧାନଙ୍କ ଘର ଝରକା ଭାଙ୍ଗି ଦୁଇ ଜଣ ଯୁବକ ବାବୁଲି ପଧାନ ଓ ଅଖି ପଧାନ ୮ ବସ୍ତା ଧାନ ଚୋରି କରିଥିଲେ। ପରିବାର ଲୋକେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ବେଳେ ଏହି ଯୁବକ ଦୁଇଜଣ ଧାନ ଚୋରି କରିଥିଲେ। ଶବ୍ଦ ହେବାରୁ ହାତୀ ଗାଁକୁ ପଶି ଆସିଥିବା ସନ୍ଦେହରେ ପଡୋଶୀ ଘର ଜଣେ ବ୍ୟକ୍ତି ଟର୍ଚ୍ଚ ମାରି ଉଭୟ ଯୁବକକୁ ଦେଖିଥିଲେ। ଶେଷରେ ଉଭୟ ଯୁବକଙ୍କୁ କାବୁ କରି ରାତିରେ ଗାଁ ମଣ୍ଡପରେ ସାତବେଣ୍ଟିଆ କରି ଲୋକେ ରଖିଥିଲେ। ସୋମବାର ସକାଳୁ ମୁହଁରେ ଚୂନ କାଳି ଓ ବେକରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଉଥିବା ଦୃଶ୍ୟ ଭାଇରାଲ ହେଉଛି।