୧୦ଲକ୍ଷ କାଉଙ୍କୁ ମାରିବାକୁ ଆଦେଶ ଦେଇଛନ୍ତି କେନିଆ ସରକାର, ଜାଣନ୍ତୁ କାହିଁକି?

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ ୧୫।୬: ପୂର୍ବ ଆଫ୍ରିକୀୟ ଦେଶ କେନିଆ ୧୦ ଲକ୍ଷ କାଉଙ୍କୁ ମାରିବାକୁ ଆଦେଶ ଜାରି କରିଛି। କେନିଆରେ ପୂର୍ବରୁ କାଉ ନଥିଲେ। ୧୯୪୦ ମସିହା ଆଖପାଖରେ ଭାରତରୁ କାଉ କେନିଆ ପହଞ୍ଚିଥିଲେ। ସେବେଠାରୁ କେନିଆ କାଉଙ୍କ ଯୋଗୁ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିବା ଅଭିଯୋଗ କରିଛି। କାଉଙ୍କୁ ହତ୍ୟା କରିବା ପାଇଁ କେନ୍ୟା ସରକାର ଦେଇଥିବା ଆଦେଶରେ ଏହି ପକ୍ଷୀ ଦେଶର ପ୍ରକୃତି ପ୍ରତି ବିପଦ ଭାବେ ଉଭା ହୋଇଥିବା କହିଛନ୍ତି। 

କାଉମାନଙ୍କ ଯୋଗୁ କେନ୍ୟାର ପର୍ଯ୍ୟଟନ ରାଜସ୍ୱ ବର୍ଷକୁ ବର୍ଷ ହ୍ରାସ ହୋଇ ଚାଲିଛି। ଏହି କାଉମାନେ ପର୍ଯ୍ୟଟକଙ୍କୁ ହଇରାଣ କରୁଥିବା ବେଳେ ସେମାନଙ୍କ ଖାଦ୍ୟ ଛଡାଇ ଖାଇ ଯାଉଛନ୍ତି। ଏଣୁ କାଉଙ୍କ ଲାଗି ପର୍ଯ୍ୟଟକ କେନ୍ୟା ଆସିବାକୁ ଭୟ କରୁଛନ୍ତି। କେନ୍ୟାରେ ରହୁଥିବା ଭାରତୀୟ କାଉ ଦେଶର ଅନ୍ୟ ପକ୍ଷୀ ପ୍ରଜାତିଙ୍କ ପାଇଁ ମଧ୍ୟ ବିପଦର କାରଣ ପାଲଟିଛନ୍ତି। କାଉମାନେ ଅନ୍ୟ ଛୋଟ ପକ୍ଷୀଙ୍କ ବସା ଭାଙ୍ଗିଦେବା ସହ ସେମାନଙ୍କ ଅଣ୍ଡା ଓ ଶାବକଙ୍କୁ ଖାଇ ଯାଉଛନ୍ତି। ଏଣୁ କାଉ ଦେଶର ପ୍ରାକୃତିକ ପକ୍ଷୀ ପ୍ରଜାତିଙ୍କ ଲାଗି ଏବେ ସମସ୍ୟାରେ ପରିଣତ ହୋଇଛନ୍ତି। 

କାଉଙ୍କୁ ମାରିବା ପାଇଁ କେନ୍ୟା ସରକାରଙ୍କ ନିଷ୍ପତ୍ତି ଦେଶର ଅନ୍ୟ ପକ୍ଷୀ ପ୍ରଜାତିଙ୍କ ପାଇଁ ଏକ ଭଲ ଖବର ନିଶ୍ଚିତ, ହେଲେ ସରକାରଙ୍କ ନିଷ୍ପତ୍ତି ଯୋଗୁ ୧୦ ଲକ୍ଷ କାଉ ପ୍ରାଣ ହରାଇବେ। କେନ୍ୟା ୱାଇଲ୍ଡଲାଇଫ ସର୍ଭିସେସ୍ କହିଛନ୍ତି ଯେ ଏହି ବିଦେଶୀ ପକ୍ଷୀ ଦୀର୍ଘ ବର୍ଷରୁ କେନ୍ୟା ଲୋକଙ୍କ ଲାଗି ସମସ୍ୟା ହୋଇ ରହିଛନ୍ତି। କେନ୍ୟା ପକ୍ଷୀ ବିଶେଷଜ୍ଞ କୋଲିନ ଜ୍ୟାକ୍ସ କହିଛନ୍ତି ଯେ ଭାରତୀୟ କାଉଙ୍କ ଯୋଗୁ ଦେଶରେ ବହୁ ସଂଖ୍ୟାରେ ଅନ୍ୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.