କୋଲକାତା ଖିଦିରପୁର ଜଗନ୍ନାଥ ମନ୍ଦିର, ନିଅଁ ଖୋଳୁ ଖୋଳୁ ମିଳିଥିଲେ ମହାଲକ୍ଷ୍ମୀ

Published By : Prameya-News7 Bureau | July 03, 2024 IST

ଭୁବନେଶ୍ୱର ୦୩୦୭: ପଶ୍ଚିମବଙ୍ଗର କୋଲକାତା ଖିଦିରପୁରଠାରେ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର ।ଦେଶ ସ୍ୱାଧୀନତା ସମୟ ଅର୍ଥାତ ୧୯୪୭ ମସିହାରୁ ଏଠାରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇ ଆସୁଛି । ପ୍ରଥମେ ଏକ ଚାଳଘରେ ପ୍ରଭୁଙ୍କ ଫଟୋ ରଖି ଲୋକେ ପୂଜା ଓ ନାମ ସଂକୀର୍ତ୍ତନ କରୁଥିଲେ । ପରେ ବହୁ ପ୍ରବାସୀ ଓଡ଼ିଆ ଏଠାରେ ମୂର୍ତ୍ତି ପ୍ରତିଷ୍ଠା କରିବା ସହ ମନ୍ଦିର କାର୍ଯ୍ୟରେ ସକ୍ରିୟ ସାମିଲ ହେଲେ । 

୧୯୮୮-୮୯ ବର୍ଷ ଏଠାରେ ଶ୍ରୀଜଗନ୍ନାଥ ସେବାସମିତି’ ଗଢାଯାଇ ପୀଠର ପୁନରୁଦ୍ଧାର ପ୍ରୟାସ କରାଗଲା ।  ଏହାର ଫଳସ୍ୱରୂପ ନିର୍ମାଣ ହେଲା ଏକ ବୃହତ ମନ୍ଦିର । ଏହା ସହ ପାର୍ଶ୍ୱମନ୍ଦିର ଆନନ୍ଦବଜାର ରୋଷଘର ଓ  ଏକ ହଲ୍  ନିର୍ମାଣ ହେଲା ।  ପ୍ରତିଷ୍ଠା ଉତ୍ସବକୁ  ପୁରୀରୁ ସଦାଶିବ ରଥଶର୍ମା ଏଠାକୁ ଆସିଥିଲେ । ପୀଠରେ ଦୈନିକ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୁଏ ।  ୪ ଜଣ ସେବକ ପ୍ରଭୁଙ୍କ ପୂଜାକାର୍ଯ୍ୟରେ ନିୟୋଜିତ ଅଛନ୍ତି ।   ଆଜି ଏଠାକୁ ଶହଶହ ଭକ୍ତଙ୍କ ସୁଅ ଛୁଟିଛି । ମୁଖ୍ୟ ମନ୍ଦିରର ଗର୍ଭଗୃହରେ ସପ୍ତଧାବିଗ୍ରହ ପୂଜା ପାଉଛନ୍ତି । ଦେଉଳ ବାହାର କାନ୍ଥରେ ଅଛନ୍ତି ବରାହନୃସିଂହ ଓ ବାମନ । ପାର୍ଶ୍ୱ ଦେବଦେବୀଙ୍କ ମଧ୍ୟରେ ଅଛନ୍ତି – ଗଣେଶ ସରସ୍ୱତୀ ହନୁମାନ ବିମଳା ସୂର୍ଯ୍ୟ ସାବିତ୍ରୀ ଲକ୍ଷ୍ମୀ ଓ ଶିବ । ପୁଣି ଏକ ଭାଗବତ ମନ୍ଦିର ବି ରହିଛି । ମନ୍ଦିର ସାମନାରେ ଗରୁଡ ସ୍ତମ୍ଭ ଓ ଅନ୍ୟତ୍ର ଅରୁଣସ୍ତମ୍ଭ ଅଛି । ସବୁଦିନର ନୀତିକାନ୍ତି ଶ୍ରୀମନ୍ଦିର ଅନୁସରଣରେ ଦ୍ୱାରଫିଟାଠାରୁ ରାତ୍ରି ପହୁଡ ପର୍ଯ୍ୟନ୍ତ ସୁଚାରୁ ସମ୍ପନ୍ନ ହୋଇଥାଏ ।ପ୍ରତ୍ୟହ ପାଞ୍ଚ ଶହ ଲୋକଙ୍କ ପାଇଁ ଅନ୍ନପ୍ରସାଦ ପ୍ରସ୍ତୁତ ସହ ସପ୍ତାହାନ୍ତରେ ପୀଠରେ ବହୁ ଭକ୍ତଙ୍କ ସମାଗମ ହୁଏ। ଏଠାରେ ପ୍ରତିବର୍ଷ ଭାଗବତ ସପ୍ତାହଅଷ୍ଟ୍ରପ୍ରହରୀ ଲକ୍ଷୀପୂଜା ସରସ୍ୱତୀ ପୂଜା ଗଣେଶପୂଜା ଦୋଳଯାତ୍ରା ଓ ସାଧାରଣତନ୍ତ୍ର ଦିବସ ପ୍ରଭୃତି ପାଳିତ ହୁଏ । ଖିଦିରପୁର ଜଗନ୍ନାଥ ମନ୍ଦିରରେ ଘୋଷଯାତ୍ରା ଖୁବ ଭକ୍ତି-ଭାବାପୂର୍ଣ୍ଣ ପରିବେଶରେ ଆୟୋଜିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସ୍ନାନଯାତ୍ରା,ରଥଯାତ୍ରା ,ବାହୁଡ଼ା ,ସୁନାବେଶ ଓ ନୀଳାଦ୍ରି ବିଜେ ଅନୁଷ୍ଠିତ ହୁଏ । ଆଗରୁ ପୀଠରୁ ଠାକୁରଙ୍କ ରଥ ସ୍ୱଭୂମି ପର୍ଯ୍ୟନ୍ତ ଯାଉଥିଲା । ପରେ କିଛିବର୍ଷ ଧରି ନଦର୍ନ ପାର୍କକୁ ଏହା ଟଣାଯାଉଛି । 

ସେହିପରି ଏଠାରେ ରଥଯାତ୍ରାରେ ଓଡ଼ିଶା ଉତ୍ସବ’ ବିଶେଷ ଗୁରୁତ୍ୱ ରଖେ। ଏଥିରେ ଓଡ଼ିଶୀ ଓ ଗୋଟିପୁଅ ନାଚ ହୁଏ । ଅନେକ ସମୟରେ ବହୁ ଜାତୀୟ ଓ ଆନ୍ତର୍ଜାତିକ ତାରକାଙ୍କୁ ଆମନ୍ତ୍ରଣ କରାଯାଏ । ଭଜନ ସମାରୋହ ହୁଏ । ବିଭିନ୍ନ ଓଡ଼ିଆ ସାମଗ୍ରୀର ବିକ୍ରିବଟା ପାଇଁ ଷ୍ଟଲ ପଡେ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିଙ୍କୁ ଉତ୍କଳ ସମ୍ମନ’ ଦିଆଯାଏ ।   ରଥଯାତ୍ରାରେ ଏଠାରେ ପ୍ରାୟ ୧ ଲକ୍ଷରୁ ଅଧିକ ଭକ୍ତ ରଥ ଟାଣନ୍ତି ।  ଏହି ରଥଯାତ୍ରାରେ କେହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଛେରାପହଁରା କରନ୍ତିନି । କେହି ବିଶିଷ୍ଟ ଧର୍ମାନୁରାଗୀ ବ୍ୟକ୍ତି ଆୟୋଜକଙ୍କ ଦ୍ୱାରା ଏଥିଲାଗି ମନୋନୀତ ହୋଇଥାନ୍ତି । 

ତେବେ ଏହି ପୀଠଟିର ନିର୍ମାଣ ଲାଗି ଏଠାର ଓଡ଼ିଆଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି । ଚାରିପଟେ ଅନ୍ୟ ଧର୍ମାବଲମ୍ବୀମାନେ ବସବାସ କରୁଥିବା ବେଳେ ଏଠାରେ ଏପରି ଏକ ହିନ୍ଦୁ ମନ୍ଦିରର ପ୍ରତିଷ୍ଠା ଏତେ ସହଜ ନଥିଲା ସେମାନଙ୍କ ପାଇଁ । ଆଉ ସବୁଠୁ ଅଲୌକିକ କାହାଣୀ ହେଲା ଏପରି ଏକ ଯାଗାରୁ ମନ୍ଦିର ପାଇଁ   ନିଅଁ ଖୋଳିଲା ବେଳେ ବାହାରିଥିଲେ ଜଗଜ୍ଜନନୀ ମହାଲକ୍ଷ୍ମୀ ।ଏହି ଅଷ୍ଟଧାତୁର ମୂର୍ତ୍ତିଙ୍କୁ ଏବେ ମହାପ୍ରଭୁଙ୍କ ପୀଠରେ ତାଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ମନ୍ଦିରରେ ପୂଜା କରାଯାଉଛି।ଖିଦିରପୁର ଜଗନ୍ନାଥ ମନ୍ଦିର ଏଠାର ପ୍ରବାସୀ ଓଡ଼ିଆଙ୍କ ଭାବନାରେ ଓଡ଼ିଶାର ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିଆସୁଛି ବର୍ଷବର୍ଷ ଧରି ।   

 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.